ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ଚା’ଖଟିରେ ବନ୍ଧୁଙ୍କ ଗହଣରେ ଚା’ ପିଇଲେ ମନ୍ତ୍ରୀ

0
65

ବଲାଙ୍ଗିର,୧୭/୬(ଜେଏନ୍ଏସ୍),ଓଡ଼ିଶାସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ବୈଷୟିକ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଲୋଇସିଂହା ଏବଂ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବଇରାସର ଠାରେ ଆଇନଜୀବୀ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଠାରେ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ । ଏଥିସହ ବିଛୁପାଲି ସ୍ଥିତ ତପୋବନ ଆଶ୍ରମକୁ ଯାଇ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କ ଆଶୀର୍ବାଦ ନେଇଥିଲେ । ବଇରାସରରୁ ବଲାଙ୍ଗିର ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ଗ୍ରାମବାସୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବଲାଙ୍ଗିରରେ ପହଞ୍ଚିବା ପରେ ମନ୍ତ୍ରୀ ପ୍ରଥମେ ଭୀମଭୋଇ ମେଡିକାଲ କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ମେଡିକାଲ କଲେଜର ଅଧ୍ୟକ୍ଷା ଡାକ୍ତର ମାନସୀ ପଣ୍ଡା ମନ୍ତ୍ରୀଙ୍କୁ ଡାକ୍ତରଖାନା ବୁଲାଇବା ସହ ସ୍ଥିତି ବିଷୟରେ ଅବଗତ କରିଥିଲେ । ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ମନ୍ତ୍ରୀ ପାଟଣେଶ୍ୱରୀ ମନ୍ଦିର ଓ ସମଲେଶ୍ୱରୀ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଆରଏସ୍ଏସ୍ କାର୍ଯ୍ୟାଳୟକୁ ଯାଇ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ସାମ୍ବାଦିକ ଭବନଠାରେ ‘ଦୁଲଦୁଲୀ କଳାପରିଷଦ’ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟବାସୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ସରକାର ପୂରଣ କରିବା ନେଇ ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଦୁଲଦୁଲି କଳାପରିଷଦର ସଭାପତି ବାସୁଦେବ ସାଙ୍କ ସଭାପତିତ୍ୱ ଓ ସଂଦୀପ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ଶଶିଭୂଷଣ ଶତପଥି,ଡ.ଲଲିତ ସାହୁ,ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସହ ବଲାଙ୍ଗୀର ବରିଷ୍ଠନାଗରିକ ମଞ୍ଚ, ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘ, ଆୟୁର୍ବେଦିକ ଡାକ୍ତର ମହାସଂଘ, ହସପିଟାଲ କର୍ମଚାରୀ ମହାସଂଘ ସମେତ ଶତାଧିକ ସଂଗଠନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବଲାଙ୍ଗୀର ସର୍କିଟ ହାଉସଠାରେ ବଲାଙ୍ଗୀର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟ ସେଠୀ, ଏସ ପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ମଧ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ସଙ୍ଗଠନର ପ୍ରତିନିଧି ମନ୍ତ୍ରୀଙ୍କୁ ବିଭିନ୍ନ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସବୁଠୁ ନିଆରା ଥିଲା ବିଧାୟକ ଥିବା ସମୟରେ ସାଙ୍ଗମାନଙ୍କ ସହ ଯେଉଁ ଚା’ଖଟିରେ ଡ.ମହାଲିଙ୍ଗ ବସୁଥିଲେ ଏବେ କ୍ୟାବିନେଟ ମନ୍ତ୍ରୀ ହେଲାପରେ ସର୍କିଟ ହାଉସରାସ୍ତାର ସେରସୁଆଁଗୁଡି କମିଟିଠାରେ ଅଟକି ସାଙ୍ଗମାନଙ୍କ ସହିତ ଚା’ ପିଇଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାଜପା ଦଳ ପକ୍ଷରୁ ବଲାଙ୍ଗିର ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ, ପିତାମ୍ବର ଖମାରୀ, ଶ୍ରୀକର ପଧାନ, ମହିଳା ମୋର୍ଚ୍ଚାର ପଙ୍କଜିନୀ ପଣ୍ଡା, ରଶ୍ମୀରେଖା ଦାନୀ, ଅନୀତା ମିଶ୍ର, ସୋନପୁର ଜିଲ୍ଲା ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାଗ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାଗ, ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here