ବେଆଇନ କରତକଳ ଉପରେ ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ସାମଗ୍ରୀ ଜବତ

0
112

ଟିଟିଲାଗଡ଼୧୭/୬ (ଜେଏନଏସ), ଟିଟିଲାଗଡ଼ ସହରରେ ଦୀର୍ଘଦିନ ଧରି ବେଆଇନ ଭାବରେ ଚାଲିଥିବା କରତକଳ ଉପରେ ବନ ବିଭାଗର ଚଢାଉ ହୋଇଛି । ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସର୍ଗିଗୁଡ଼ା ଓ ଠିକାଦାର ପଡ଼ା ଠାରେ ସୋମବାର ସକାଳୁ ଟିଟିଲାଗଡ଼ ଓ ସଇଁତଳା ବନାଞ୍ଚଳର ମିଳିତ ଟିମ୍ ଚଢାଉ କରିଥଲେ । ପ୍ରଥମେ ସର୍ଗିଗୁଡ଼ା ନାନାଝର ରାସ୍ତାରେ ଥିବା ଶେଷଦେବ ସାହୁଙ୍କ ଘର ଓ ସୁବାସ ସାହୁଙ୍କ ବେଆଇନ କରତକଳ ମଧ୍ୟରୁ ଗଚ୍ଛିତଥିବା ଦେଢ଼ଶହ ରୁ ଉର୍ଦ୍ଧ୍ୱ ଶାଳ, ପିଆଶାଳ ଓ ଶାଗୁଆନ ଗଣ୍ଡି ସହ କରତ ଜବତ ହୋଇଥିଲା ।ଚଢାଉ ସମୟରେ ସୁବାସ ସାହୁ ଘର ତାଲା ପକାଇ କୁଆଡ଼େ ଚାଲିଯିବା ଯୋଗୁଁ ଘର ଭିତରେ ଥିବା କିଛି କାଠ ଜବତ ହୋଇପାରି ନ ଥିଲା । ସେହିପରି ଠିକାଦାର ପଡ଼ା ବିନୁ ମାରୁଙ୍କ ବେଆଇନ କରତକଳରେ ହୋଇଥିବା ଚଢାଉରେ ଅର୍ଦ୍ଧନିର୍ମିତ ଶାଗୁଆନ ପଲଙ୍କ, ସୋଫା ସେଟ୍, ଚଉକି, କାଠ କାଟିବା ପାଇଁ ବ୍ୟବହୃତ ହେଉଥିବା ମେସିନ, ମିଶ୍ରିତ ପୋଲ ଆଦି ଜବତ ହୋଇଛି । ବନବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ଭାବରେ ତିନୋଟି ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ କାଠ ବ୍ୟବସାୟୀ ଶେଷଦେବ ସାହୁ ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ତାଙ୍କୁ ଜାମିନରେ ଛଡ଼ା ଯାଇଥିବା ସୂଚନା ମିଳିଛି । ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧିଙ୍କ ସହ ଟିଟିଲାଗଡ଼ ବନପାଳ ସୁରେନ୍ଦ୍ର ମହାରଣା, ସଇଁତଳା ବନପାଳ ସୁଶିଲ ପୁଟାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here