ଟିଟିଲାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ଓ ଭୂମିପୂଜନ

0
29

ଟିଟିଲାଗଡ଼,୧୯/୦୪/୨୦୨୫(ଜେଏନ୍ଏସ୍), ବହୁ ପ୍ରତୀକ୍ଷିତ ଟିଟିଲାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ଓ ଭୂମିପୂଜନ ଶନିବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟିଲାଗଡ଼ ଗସ୍ତରେ ଆସି ସ୍ଥାନୀୟ ଧବଳେଶ୍ୱର ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଏଥିସହ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ନୂତନ ସ୍କୁଲ କୋଠାର ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ହେଲିକେପ୍ଟର ଯୋଗେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଡ଼ି.ଏ.ଭି. କଲେଜ ପଡ଼ିଆରେ ଓହ୍ଲାଇଥିବା ବେଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ, ଟିଟିଲାଗଡ଼ ବିଧାୟକ ନବିନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।

ସ୍ଥାନୀୟ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭବ୍ୟ ସ୍ଵାଗତ ପ୍ରଦାନ କରାଯିବା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଆୟୋଜିତ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଥିବା ଏବଂ  କେନ୍ଦ୍ର ସରକାର ଜିଲ୍ଲାକୁ ୧୦୦ କୋଟିର ଅନୁଦାନ ଯୋଗାଇଥିବା ଉଲ୍ଲେଖ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ସମସ୍ତ ନିର୍ବାଚନୀ ପ୍ରତିଶୁତି ପୁରଣ ହେବ ଏବଂ ଟିଟିଲାଗଡ଼ରେ ଖୁବ୍ ଶୀଘ୍ର ଗ୍ରୀଡ୍ ସ୍ଥାପନା ହେବ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ସ୍ଥାନୀୟ ବିଧାୟକ ଶ୍ରୀ ଜୈନ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ପୌରାଧ୍ୟକ୍ଷା ମମତା ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଯୁଗ୍ମ କମିଶନର ସୋମିତ ଶ୍ରୀବାସ୍ତବ, ସମ୍ବଲପୁର ରେଳ ବିଭାଗ ଏ.ଡ଼ି.ଆର୍.ଏମ୍. ଆନନ୍ଦ ସିଂ ପ୍ରମୁଖ ମଞ୍ଚାସିନ ଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସହକାରୀ କମିଶନର ବିରବଲ ଧିନୱା  ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ନଗର ସଭାପତି ବୁଦ୍ଧିଆ ଆଚାର୍ଯ୍ୟ, ମହେନ୍ଦ୍ର ଠାକୁର, ରଞ୍ଜୁ ରାଏମନ, ପ୍ରଦୀପ ସାହୁ, ସଞ୍ଜୟ ତ୍ରିପାଠୀ, ପ୍ରମୋଦ ସରାଫ କାଉନସିଲର ମନୋଜ ଜୈନ, ସୁନିତା ଦାସ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁ ଦଳୀୟକର୍ମୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ଓ ବ୍ୟାପକ ଜନ ସମାଗମକୁ ଦୃଷ୍ଟିରେ ରଖି  ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here