ବଲାଙ୍ଗିର,୨୧ା୬(ଜେଏନ୍ଏସ୍) ଆଜି ସାରା ବିଶ୍ୱରେ ଆନ୍ତର୍ଯ୍ୟାତିୟ ଯୋଗଦିବସ ପାଳିତ ହୋଇଯାଇଛି । ସେହିକ୍ରମରେ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଯୋଗଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟବ୍ୟାପାର,ସୂଚନା ଓ ବୈଷୟିକ ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଯୋଗଦିବସ ଉପରେ ବକ୍ତବ୍ୟ ରଖି ମନ୍ତ୍ରୀ ଡ.ମହାଲିଙ୍ଗ କହିଥିଲେ: “ଭାରତୀୟ ପରଂମ୍ପରା ଓ ସଂସ୍କୃତିରେ ଯୋଗ ରହିଆସିଛି । ଆଜିର ବାର୍ତ୍ତା ହେଉଛି ନିଜ ଓ ସମାଜ ପାଇଁ ଯୋଗର ଆବଶ୍ୟକତା । ମନ ଓ ଶରୀରର ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି । ତେଣୁ ସମସ୍ତେ ମାନସିକ ଚାପରୁ ମୁକ୍ତି ଓ ସୁସ୍ଥ ରହିବାକୁ ହେଲେ ନିଜର ପ୍ରତ୍ୟହ ଦୈନିକଚର୍ଯ୍ୟାରେ ଯୋଗକୁ ସାମିଲ କରନ୍ତୁ” । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗିର ଏସପି ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟକୁମାର ସେଠୀ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଯୋଗାଗୁରୁ ସ୍ୱାମୀ ତ୍ୟାଗରାଜ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀ, କ୍ରିଡାବିତ, ସାମ୍ବାଦିକ ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ ।







