ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇରୁ ଆରମ୍ଭ ହେବ ଜନ-ଅଭିଯୋଗ ଶୁଣାଣି ଶିବିର

0
81

ଟିଟିଲାଗଡ଼,୨୮/୬ (ଜେଏନ୍ଏସ୍), ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ସ୍ଥଗିତ ଥିବା ଜନ-ଶୁଣାଣି ଶିବିର ଆସନ୍ତା ଜୁଲାଇ ମାସ ପହିଲାରୁ ପୁଣିଥରେ ଆରମ୍ଭ ହେବ । ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଚିଠି ମାଧ୍ୟମରେ ଏ ବାବଦରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସ୍ତରରେ ଜନ-ଶୁଣାଣି ଶିବିର ଆୟୋଜନ କରାଯିବାକୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ-ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜୁଲାଇ ମାସର ପ୍ରଥମ ସୋମବାର ୧ ତାରିଖ ଦିନ ଘ. ୧୦.୩୦ ମି. ସମୟରେ ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ସେହିପରି ଜୁଲାଇ ମାସ ଦ୍ୱିତୀୟ ସୋମବାର ୦୮ ତାରିଖ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ, ତୃତୀୟ ସୋମବାର ୧୫ ତାରିଖ ବଙ୍ଗମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ, ମାସର ଚତୁର୍ଥ ସୋମବାର ୨୨ ତାରିଖ ଲୋଇସିଙ୍ଘା ବ୍ଲକ କାର୍ଯ୍ୟାଳୟରେ ଏବଂ ପଞ୍ଚମ ତଥା ମାସର ଶେଷ ସୋମବାର ଅର୍ଥାତ ୨୯ ତାରିଖ ଦିନ ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟରେ ଜନ-ଶୁଣାଣି ଶିବିର ଅନୁଷ୍ଠିତ ହେବ । ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମ୍ପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗପତ୍ରଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

LEAVE A REPLY

Please enter your comment!
Please enter your name here