ତିନି ଦଶନ୍ଧି ପରେ ବି ହୋଇ ପାରିନି ୪୫୦ ମିଟର ଜମି ଅଧିଗ୍ରହଣ : ଲକ୍ଷ୍ୟଚ୍ୟୁତ ହୋଇଛି ୧୩୨ କୋଟିର “କଙ୍କଡାଜୋର” ପ୍ରକଳ୍ପ ।

0
116

ଟିଟିଲାଗଡ଼,୨୪/୦୭ (ଜେଏନ୍ଏସ୍) : ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡରେ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଜଳ ସମ୍ପଦ ପରିଯୋଜନା ଅନ୍ତର୍ଗତ ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ପିଟାପଡ଼ା ଠାରେ “କଙ୍କଡାଜୋର” ପ୍ରୋଜେକ୍ଟ ନିର୍ମିତ ହୋଇଛି । ଅଞ୍ଚଳର ୪୭୦ ହେକ୍ଟର ଜମି ଅଧିଗ୍ରହଣରେ ନିର୍ମିତ ଏହି ବୃହତ ପ୍ରକଳ୍ପ ୨୦୦୦ ହେକ୍ଟର ଖରିଫ ଓ ୪୦୦ ହେକ୍ଟର ରବି ଫସଲ ପାଇଁ ଉପଯୋଗୀ ହେବାକୁ ଥିବା ବେଳେ ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ ୨୫ କିମି କେନାଲ ସଂଯୋଗି କରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି । ଏହି ପ୍ରକଳ୍ପ ଦ୍ଵାରା କେନାଲ ମାଧ୍ୟମରେ ଚାଷୀଙ୍କ ଜମି ଜଳ ସେଚିତ ହେବ ଏହାକୁ ନେଇ ଅଞ୍ଚଳର ଚାଷୀ ବେଶ ଉତ୍ସାହିତ ଓ ଆଶାବାଦୀ ରହିଥିଲେ । ତେବେ ଦୀର୍ଘ ବର୍ଷଧରି ପ୍ରକଳ୍ପର ଉପରମୁଣ୍ଡରେ ମାତ୍ର ୪୫୦ ମିଟର ଜମି ଅଧିଗ୍ରହଣ ହୋଇ ନ ଥିବା ଯୋଗୁଁ ସମ୍ପୂର୍ଣ କେନାଲ ଟି ବର୍ତ୍ତମାନ ଯାଏ ଅକାମୀ ହୋଇପଡ଼ିଛି ।

୧୯୯୫ ମସିହାରେ ଏହି ବୃହତ ପରିଯୋଜନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତିନି ଦଶନ୍ଧି ପୂରଣ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜମି ଅଧିଗ୍ରହଣ ସମ୍ପୂର୍ଣ ନ ହେବା ଚାଷୀଙ୍କ ପ୍ରତି ବିଗତ ସରକାର କେତେ ଯତ୍ନଶୀଳ ଥିଲେ ତାହା ପଦାରେ ପଡ଼ିଛି । ଅପର ପକ୍ଷରେ ଅକାମୀ କେନାଲକୁ ମରାମତି କରା ନ ଯାଇ କେନାଲ ଆଡିରେ କିଛି ମାସ ପୂର୍ବରୁ ୩ କୋଟି ଟଙ୍କା ବ୍ୟୟରେ କେନାଲ ନିରୀକ୍ଷଣ ରାସ୍ତାକାମ କରାଯାଇଥିଲା । ଏଥିସହ ଏହି ପ୍ରକଳ୍ପ ଅନ୍ତର୍ଗତ ସ୍ଵତନ୍ତ୍ର ମରାମତି କାର୍ଯ୍ୟ ନା ରେ ୫ ଲକ୍ଷ ଟଙ୍କାର ରାସ୍ତା ମରାମତି କାର୍ଯ୍ୟ ବିନା ଟେଣ୍ଡରରେ ଚାଲିଥିବା ଦେଖିବାକୁ ମିଳିଛି । ଏହାକୁ ଗୁରୁତ୍ଵ ନ ଦେଇ ଠିକାଦାର ପୋଷାନୀତିରେ ଅନାବ୍ୟଶକ କାର୍ଯ୍ୟ କରାଯାଇ ହରିଲୁଟ ହେଉଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କିଛି ଅଧିକାରୀଙ୍କ ବଦଳି ମଧ୍ୟ ହୋଇ ସାରିଥିବା ବେଳେ ଏହି ଜମି ଅଧିଗ୍ରହଣ ଡି.ପି.ଆର. ଷ୍ଟେଜ ରେ ରହିଥିବା ଏବଂ ଏହା ଅନ୍ୟ ଏକ ପ୍ୟାକେଜରେ ସାମିଲ୍ କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାଗ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇ ସାରିଥିବା ବେଳେ ଶୀଘ୍ର ଜମି ଅଧିଗ୍ରହଣ ହେବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଅଞ୍ଚଳର ଚାଷୀ ଆଶାବାଦୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here