କଙ୍କଡାଯୋର, ୪୫୦ ମିଟର ଜମି ଅଧିଗ୍ରହଣ ଘଟଣା ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା : ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ଜବାବ ତଲବ

0
114

ଟିଟିଲାଗଡ଼,୦୧/୦୮ (ଜେଏନ୍ଏସ୍) : ଜଳ ସମ୍ପଦ ପରିଯୋଜନା ଅନ୍ତର୍ଗତ ଟିଟିଲାଗଡ଼ ଉପଖଣ୍ଡ, ପିଟାପଡ଼ା ଠାରେ ୧୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କଙ୍କଡ଼ା ଯୋର ପ୍ରକଳ୍ପ ମାତ୍ର ୪୫୦ ମିଟର ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା ଦେଖାଦେଇଛି । ଘଟଣାକୁ ନେଇ ସ୍ଥାନୀୟ ଉପଜିଲ୍ଲାପାଳ ଗୁରୁବାର ସଂପୃକ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜବାବ ତଲବ କରିଛନ୍ତି । ଏଥିସହ ପ୍ରକଳ୍ପର ବର୍ତ୍ତମାନର ସମ୍ପୁର୍ଣ୍ଣ ସ୍ଥିତି ସମ୍ଵନ୍ଧରେ ଲିଖିତ ଭାବେ ଜଣାଇବାକୁ ଆଦେଶ ଦେଇଥିବା ସୁଚନା ମିଳିଛି । ପ୍ରକାଶ ଯୋଗ୍ୟ ଯେ, ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଅଞ୍ଚଳର ୪୭୦ ହେକ୍ଟର ଜମି ଅଧିଗ୍ରହଣରେ କଙ୍କଡାଯୋର ପ୍ରକଳ୍ପ ନିର୍ମିତ ହୋଇଛି । ଏହି ବୃହତ ପ୍ରକଳ୍ପ ୨୦୦୦ ହେକ୍ଟର ଖରିଫ ଓ ୪୦୦ ହେକ୍ଟର ରବି ଫସଲ ପାଇଁ ଉପଯୋଗୀ ହେବାକୁ ଥିବା ବେଳେ ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ ୨୫ କିମି କେନାଲ ସଂଯୋଗିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି । ତେବେ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ପ୍ରକଳ୍ପର ଉପରମୁଣ୍ଡରେ ମାତ୍ର ୪୫୦ ମିଟର ଜମି ଅଧିଗ୍ରହଣ ହୋଇ ନ ଥିବା ଯୋଗୁଁ ସମ୍ପୂର୍ଣ କେନାଲଟି ବର୍ତ୍ତମାନ ଯାଏ ଅକାମୀ ହୋଇ ପଡ଼ିଛି । ଏହି ଜମି ଅଧିଗ୍ରହଣ ଡି ପି ଆର ଷ୍ଟେଜରେ ରହିଥିବା ଏବଂ ଏହା ଅନ୍ୟ ଏକ ପ୍ୟାକେଜରେ ସାମିଲ୍ କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାଗ ପ୍ରକାଶ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ  ତିନି ଦଶନ୍ଧିରୁ ଅଟକିଥିବା ଏହି ୪୫୦ ମିଟର ଜମି ଅଧିଗ୍ରହଣ ଶୀଘ୍ର ହୋଇପାରିବା ନେଇ ଅଞ୍ଚଳର ଚାଷୀଙ୍କ ଆଶା ଉଜ୍ଜୀବିତ ହୋଇଛି ।

LEAVE A REPLY

Please enter your comment!
Please enter your name here