ଅବ୍ୟବସ୍ଥା ଘେରରେ କତରକେଲା ସେବାଶ୍ରମ ବିଦ୍ୟାଳୟ

0
107

ଟିଟିଲାଗଡ଼,୨୩/୦୯,(ଜେଏନଏସ), କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ବ୍ୟାପକ ଅନୁଦାନ ମଧ୍ୟ ଯୋଗାଉଛନ୍ତି । ତେବେ ଏ ସବୁ ସତ୍ତ୍ୱେ ମଧ୍ୟ ସରକାରଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହେଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କତରକେଲା ସେବାଶ୍ରମ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀମାନେ ଥିବା ଦେଖିବାକୁ ମିଳିଛି ।ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ  ୧୯୫୦ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ୩୬୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବାବେଳେ ମାତ୍ର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ବିଦ୍ୟାଳୟ ପରିସରରେ ଥିବା ୨ଟି ଛାତ୍ରୀନିବାସରେ ସମୁଦାୟ ୧୬୬ ଜଣ ଛାତ୍ରୀ ରହୁଛନ୍ତି । ଏହି ସ୍କୁଲ ପରିସରରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସୂଚନା ଅନୁଯାୟୀ ନୂତନ ଅଙ୍ଗନବାଡ଼ି କୋଠା ନିର୍ମାଣ ପାଇଁ ୩ ବର୍ଷ ପୂର୍ବରୁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ଏ ଯାଏ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।ଏତେ ସଂଖ୍ୟାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ ସ୍ଥାନର ଅଭାବ ଯୋଗୁଁ ଖୋଲାରେ ରୋଷେଇ କରାଯାଉଥିବା ଦେଖାଯାଇଛି । ସ୍କୁଲ କୋଠା ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଅନୁଦାନ ରାଶି ୨୦୨୧-୨୨ ଆର୍ଥିକ ବର୍ଷରୁ ଆସିଥିବା ଏବଂ ହଷ୍ଟେଲ କୋଠା ନିର୍ମାଣ ଓ ମରାମତି ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧୦ ଲକ୍ଷ ଏବଂ ୨୦୨୩-୨୪ ରେ ୧୦ ଲକ୍ଷ ଅନୁଦାନ ଆସିଛି ।ତେବେ ଏତେ ସବୁ ଅନୁଦାନ ଆସିଥିବା ଏବଂ ବିଭାଗୀୟ କାର୍ଯ୍ୟାଦେଶର ଆଦେଶ ହୋଇଥିବା ସତ୍ତ୍ଵେ ଏଯାବତ୍ କୌଣସି କାର୍ଯ୍ୟ ଆରମ୍ଭ ନ ହେବା ବିଭାଗୀୟ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ସ୍କୁଲ ପରିସରରେ ଥିବା ଶୌଚାଳୟଗୁଡ଼ିକ ଦୀର୍ଘ ଦେଢ଼ ବର୍ଷ ପୂର୍ବରୁ ଭଙ୍ଗାଯାଇ ବର୍ତ୍ତମାନ ସୁଦ୍ଧା ତିଆରି କରାଯାଇ ନ ଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିଦ୍ୟାଳୟର ଅବ୍ୟବସ୍ଥା ସମ୍ଵନ୍ଧରେ ପ୍ରଧାନଶିକ୍ଷକ ସଞ୍ଜୀବ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ ଘଟଣାକୁ  ସ୍ଵୀକାର କରିବାସହ ନିଜ ଅସହାୟତା ପ୍ରକାଶ କରିଥିଲେ । ଘଟଣାକୁ ନେଇ ବିଡ଼ିଓ ସୁଶାନ୍ତ ରଣାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସ୍କୁଲକୁ ନିଜେ ଯାଇ ସ୍ଥିତି ପରଖିବା ସହ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ସଂପୃକ୍ତ ଘଟଣାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ହସ୍ତକ୍ଷେପକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ବେହେରା ଦାବୀ କରିଛନ୍ତି । 

LEAVE A REPLY

Please enter your comment!
Please enter your name here