ବିଧାନସଭାରେ କଳିକେଶଙ୍କ ଶାଣିତ ସ୍ୱର, ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ପ୍ରଶ୍ନ

0
65

ବଲାଙ୍ଗିର,୨୩/୦୭ (ଜେଏନ୍ଏସ୍) : ଚଳିତ ବିଧାନସଭାରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ଶାଣିତ ସ୍ୱର ଦେଖିବାକୁ ମିଳିଛି । ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ରାଜ୍ୟସରକାରଙ୍କୁ ସେ ଶାଣିତସ୍ୱରରେ ପ୍ରଶ୍ନ କରୁଥିବା ଦେଖାଯାଇଛି । ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ, ପୌରପାଳିକାର ରାସ୍ତାଘାଟ, ପୋଲନିର୍ମାଣ ତଥା ମରାମତି, ସରକାରୀ ଉଦ୍ୟୋଗରେ ଯୁବକଯୁବତୀଙ୍କ ନିଯୁକ୍ତି, ଜିଲ୍ଲାରେ ବନବିଭାଗ ପକ୍ଷରୁ ହୋଇଥିବା ବନୀକରଣ, ପଞ୍ଚାୟତମାନଙ୍କରେ ନିର୍ବାହୀ ଅଧିକାରୀ ନିଯୁକ୍ତି, ଶିକ୍ଷାନୁଷ୍ଠାନମାନଙ୍କୁ ବିଦ୍ୟୂତିକରଣ ଇତ୍ୟାଦି ବିଷୟରେ ଶ୍ରୀ ସିଂ ଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତିରାଜମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବିଜୁସେତୁ ଯୋଜନାରେ ମୋଟ ୫୯ଟିର ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ବେଳେ ୪୮ଗୋଟି ସେତୁର କାମ ଚାଲିଛି । ସେହିପରି ୪ଟି ସେତୁ ନିର୍ମାଣ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଟେଣ୍ଡର ପ୍ରକ୍ରିୟାରେ ରହିଛି । ଟେଣ୍ଡର ପ୍ରକ୍ରିୟାରେ ଥିବା ସେତୁ ମଧ୍ୟରେ ବଲାଙ୍ଗିର ନିର୍ବାଚନମଣ୍ଡଳୀର ଦେଓଗାଁ ବ୍ଲକର ସାଲେପାଲି ଠାରୁ ସରଗାଡ଼ କୁ ସୋନଗଡ଼ ନଦୀରେ ସେତୁ, ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଲାନ୍ଥନଦୀରେ ଦୁଖଲଘାଟରୁ ଜାମିଲିସର ରୋଡ଼ରେ ସେତୁ, ଟାଙ୍ଗିଜୋର ନାଳାରେ ସିଲଣ୍ଡାରୁ ଚାଣ୍ଟିପଲାକୁ ସେତୁ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ସୁନ୍ଦରନାଳାରେ ପୁଲସଖଣ୍ଡ ରୁ ଶ୍ରୀରାମ ପଞ୍ଚାୟତସମିତି ରୋଡ଼କୁ ସେତୁ ରହିଥିବା ମନ୍ତ୍ରୀ ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗିର ନିର୍ବାଚନମଣ୍ଡଳୀର ବଲାଙ୍ଗିର ସଦରବ୍ଲକରେ ୨୫ଗୋଟି ଗ୍ରାମପଞ୍ଚାୟତରେ ସମୁଦାୟ ୩୦୨.୨୫କିମି ପଞ୍ଚାୟତରାସ୍ତା ରହିଛି । ସେଥିରୁ ୮୧.୭କିମି ରାସ୍ତା କଂକ୍ରିଟ, ପେଭରବ୍ଲକ କାମ ହୋଇଛି ଓ ୨୧୮.୮କି.ମି. ମାଟି ରାସ୍ତା ରହିଛି । ଏହି ରାସ୍ତାଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଜିପିଡିପି ଓ ବିପିଡିପି ତଥା ଅନ୍ୟାନ୍ୟ ଯୋଜନାରୁ କଂକ୍ରିଟ ଓ ପେଭରବ୍ଲକ କାମ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଉତ୍ତର ରଖିଛନ୍ତି । ସେହିପରି ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୫୦ଟି ଶିକ୍ଷାନୁଷ୍ଠାନରେ ଜିଇଡି ବିଭାଗ ପକ୍ଷରୁ ବିଦ୍ୟୁତିକରଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଏକ ଉତ୍ତର ରଖିଛନ୍ତି । ଠିକ ସେହିପରି ବଲାଙ୍ଗିର ପୌରପାଳିକାରେ ମୋଟ ୪୨୭.୨୭କିମି ରାସ୍ତା ରହିଥିବା ବେଳେ ସେଥିରୁ ୯୬.୧୫କିମି ପିଚୁରାସ୍ତା,୧୨୧.୬୨କିମି ସିମେଣ୍ଟ କଂକ୍ରେୀଟ ଓ ୨୦୯.୫୦କିମି ମେଟାଲ ଓ ଅଣମେଟାଲ ରାସ୍ତା ରହିଛି । ଏହି ମେଟାଲ ଓ ଅଣମେଟାଲ ରାସ୍ତା ମଧ୍ୟରୁ ୩୨.୪୫କିମି ରାସ୍ତାକୁ ପେଭରରାସ୍ତା କରିବାକୁ ଗତ ୨୦୨୩-୨୪ ଆର୍ଥିକବର୍ଷରେ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗରଉନ୍ନୟନମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲାରେ ୧୪ଟି ବ୍ଲକଅଞ୍ଚଳର ଗ୍ରାମଗୁଡ଼ିକରେ ମୋଟ୍ ୩୫,୦୩୫.୫୫ ହେକ୍ଟର ଗ୍ରାମ୍ୟଜଙ୍ଗଲ ରହିଛି । ସେଥିରୁ ଏପର୍ଯ୍ୟନ୍ତ ୧୩୮୧ ହେକ୍ଟରରେ ବନବିଭାଗ ବନୀକରଣ କରାଇଛି । ଆଗକୁ ଅନ୍ୟ ଜମିରେ ମଧ୍ୟ ବନୀକରଣ କରାଯିବ ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here