କୋଶଲୀ ପୁସ୍ତକ “ସଉତନ” ଓ “ନିଏ “ଉନ୍ମୋଚିତ

0
95

ବଲାଙ୍ଗିର,୨୧/୦୮(ଜେଏନ୍ଏସ୍): ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ବିଶିଷ୍ଟ କବି ତଥା ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କ ଦୁଇଟି କୋଶଲୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ନଗରପାଳ ଲିକା ସାହୁ ମୁଖ୍ୟଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଧ୍ୟାପକ ନବୀନ ବିଶ୍ଵବନ୍ଧୁ, ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧାରୀ ପତି, ପରିଷଦର ସମ୍ପାଦକ କପିଳେଶ୍ଵର ଖମାରୀ ଓ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ କୋଶଲ ଗୌରବ ବିଶିଷ୍ଟ କବି ରାମଭକ୍ତ ଫରିକାର ଓ  କୋଶଲୀ କବି ତଥା ଗବେଷକ ନିମେଇଁ ଚରଣ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତି ସାହୁ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କ କୋଶଲୀ ନାଟକ ‘ସଉତେନ୍’ ଓ କୋଶଲୀ ଗଳ୍ପ ସଂକଳନ ‘ନିଏ’ ପୁସ୍ତକ ଦୁଇଟିର ଶୁଭ ଉନ୍ମୋଚନ କରିଥିଲେ । ଅତିଥିବୃନ୍ଦ ଶ୍ରୀ ବାରିକଙ୍କ ଲେଖକୀୟ ଜୀବନ ଓ ସର୍ଜନାର ଆଲୋଚନାରେ ଭୂୟସୀ ପ୍ରଶଂସା କରିଥିଲେ । ଲେଖକ ଓ ତାଙ୍କର ଧର୍ମପତ୍ନୀ କଣ୍ଠଶିଳ୍ପୀ ଉଷାରାଣୀ ବାରିକ ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଲେଖକଦମ୍ପତିଙ୍କର ଜୀବନ ଓ ସାରସ୍ୱତ ସର୍ଜନା ସମ୍ପର୍କରେ ଏକ ସରସ ଆଲୋଚନା କରିଥିଲେ । କବୟତ୍ରୀ ସବିତା ମlହରା ମଧ୍ୟ ଲେଖକଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ତଥା ଗାଳ୍ପିକ ମଳୟ ମିଶ୍ର କହିଥିଲେ ଯେ, ସମସ୍ତଙ୍କର କାହାଣୀକୁ ଗଳ୍ପ କରିବାର କଳାକାରିଗରୀ ନଥାଏ ଓ  କୃଷ୍ଣଚନ୍ଦ୍ର ବାରିକ ଏହି ପୁସ୍ତକଟିରେ କୋଶଲୀ କଥାନୀକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ପ୍ରତିପାଦନ କରିଛନ୍ତି ଓ ସମ୍ଭବତଃ ଏଭଳି ଉତ୍ତରଣ ପ୍ରଥମ । ସେ ମଧ୍ୟ ଲେଖକଙ୍କ ସହ ତାଙ୍କର ଆବାଲ୍ୟରୁ ନିବିଡ଼ ବନ୍ଧୁତା ତଥା ନାଟକୀୟ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ । କବି, ଗବେଷକ ଓ ଅଧ୍ୟାପକ ନବୀନ ବିଶ୍ଵବନ୍ଧୁ ପୁସ୍ତକର ଏକ ସୁନ୍ଦର ତଥ୍ୟପୂର୍ଣ୍ଣ ସମୀକ୍ଷାତ୍ମକ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ପତି ‘ସଉତେନ୍’ ନାଟକଟିକୁ ଚଳଚିତ୍ର କରିବାର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଆମଭାଷା, ଗଳ୍ପ ବା ସାରସ୍ୱ ତ ରଚନାରେ ସମାଜର ବିଭିନ୍ନ ଦିଗର ପ୍ରତିଫଳନ ସମାଜକୁ ଉତ୍ତମ ଦିଗ୍ ଦର୍ଶନ ଦେଇଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ପାଦକ ଶ୍ରୀ ଖମାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ପରିଷଦର କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ପ୍ରାରମ୍ଭିକ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପରିଷଦର ସହସମ୍ପାଦକ ତଥା ‘ ପ୍ରେରଣା’ର ସମ୍ପାଦକ ଆଇନଜୀବୀ ରଘୁନନ୍ଦନ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସହରର ସାହିତ୍ୟପ୍ରେମୀ, କବି, କବୟତ୍ରୀ, ଲେଖକଲେଖିକା, ସାମ୍ବାଦିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here