କୁମୁଡ଼ା ଗ୍ରାମ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

0
46

ଟିଟିଲାଗଡ଼,୨୬/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ଥାନା ଅଧିନସ୍ଥ କୁମୁଡ଼ା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣୀ କରି ଟିଟିଲାଗଡ଼ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସନ୍ଦୀପ କୁମାର ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାବାସ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟରେ ୬ ମାସ ଅଧିକ କାରାବାସ ଭୋଗିବାକୁ ରାୟ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, କୁମୁଡ଼ା ଗ୍ରାମର ଲକ୍ଷ୍ମଣ ଖର୍ସେଲ ଓ ରୋମାଞ୍ଚ ଖର୍ସେଲଙ୍କ ପରିବାର ମଧ୍ୟରେ ପୁର୍ବରୁ ଥିବା ଏକ ହତ୍ୟାକାଣ୍ଡକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତ ୨୦୧୭ମସିହା ଜୁନ ୩ ତାରିଖ ଦିନ ସନ୍ଧ୍ୟା ସାଢେ ୫ଟାରେ ରୋମାଞ୍ଚର ଭଉଣୀ ଚମ୍ପାବତୀ ବଜାରରୁ ଫେରୁଥିବା ବେଳେ ବାଟରେ ଲକ୍ଷ୍ମଣଙ୍କ ପରିବାରର ଯାମ୍ବୁବତୀ, ରାଧିକା, ସୀମା ଓ ଝୁନା ମାର୍ ପିଟ୍ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ସମୟରେ ରୋମାଞ୍ଚଙ୍କ ଛୋଟ ଭାଇ ପ୍ରେମରାଜ ଓ ବୋହୂ ପ୍ରିୟତମା ଆସି ତାଙ୍କୁ ଉଦ୍ଧାର କରିଥିଲେ । ପରେ ସେହି ଦିନ ରାତ୍ରି ୮ଟା ସମୟରେ ରାହୁଲ ଖର୍ସେଲ ଓରଫ ଧନେଶ୍ଵର ଓ ଲକ୍ଷ୍ମଣ ଖର୍ସେଲ ଠେଙ୍ଗା ଧରି ପ୍ରିୟତମାଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ । ସେହି ସମୟରେ ଯାମ୍ବୁବତୀ ଆସି ପ୍ରିୟତମାର ହାତ ଧରି ଦେବାରୁ ଲକ୍ଷ୍ମଣ ପଛ ପଟୁ ପ୍ରିୟତମାଙ୍କ ମୁଣ୍ଡରେ ଠେଙ୍ଗାରେ ପ୍ରହାର କରିଥଲା । ସମୟରେ ଗାଧୋଇ ଫେରୁଥିବା ପ୍ରିୟତମାର ସ୍ଵାମୀ ପ୍ରେମରାଜକୁ ରାହୁଲ ଠେଙ୍ଗାରେ ଆକ୍ରମଣ କରିବା ଦେଖି ସେଠାରୁ ସେ ଭୟରେ ଦୌଡ଼ି ପଲାଇ ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ରୋମାଞ୍ଚ ସେଠାରେ ପହଞ୍ଚିବା ମାତ୍ରେ ରାହୁଲ ଠେଙ୍ଗାରେ ଆକ୍ରମଣ କରିଥିବା ବେଳେ ଲକ୍ଷ୍ମଣ ଏକ ବଡ଼ ପଥରରେ ରୋମାଞ୍ଚର ମୁଣ୍ଡକୁ ଛେଚି ଦେଇ ଉଭୟ ଫେରାର ମାରିଥିଲେ । ଗୁରୁତର ଅବସ୍ଥାରେ ରୋମାଞ୍ଚକୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧନ ଅବସ୍ଥାରେ ଜୁନ ୮ତାରିଖରେ ତାର ମୃତ୍ୟୁ ଘଟିଥିଲା । ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା । ତେବେ ରାହୁଲକୁ ଜାମିନ ମିଲିଥିବା ବେଳେ ଲକ୍ଷ୍ମଣ ବିଚାର ବିଭାଗୀୟ ହାଜତରେ ରହିଥିଲା । ଏହି ମାମଲାର ଶୁଣାଣୀ କରି ମାନ୍ୟବର ଜଜ୍ ୧୬ ଜଣ ସାକ୍ଷୀଙ୍କ ବୟାନ, ୭୧ଟି ଦସ୍ତାବେଜ, ପୋଷ୍ଟମାର୍ଟମ ରିପୋର୍ଟ ଓ ତଥ୍ୟକୁ ଆଧାର କରି ଲକ୍ଷ୍ମଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଏଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର ରାଧାକାନ୍ତ ପାଢୀ ମାମଳା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here