ଟିଟିଲାଗଡ଼ରୁ ଲଣ୍ଡନକୁ ରପ୍ତାନି ହେଲା ଆମ୍ବ

0
114

ଟିଟିଲାଗଡ଼,୨୪/୦୫/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଅଞ୍ଚଳରୁ ଉତ୍ପାଦିତ ୩୦ କ୍ଵିଣ୍ଟାଲ ଆମ୍ୱ ଶନିବାର ବିଦେଶକୁ ରପ୍ତାନି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟରତ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆଶାର ତତ୍ତ୍ୱାବଧାନ ଓ ଓରମାସର ସହାୟତାରେ କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକୁ ସଶକ୍ତିକରଣ ଓ ବଜାର ସଂଯୋଗୀକରଣ ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ଏଥିସହ ସଂପୃକ୍ତ କୃଷି ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକୁ ନାବାର୍ଡ ସହାୟତାରେ ରପ୍ତାନି ପ୍ରକ୍ରିୟା ସମ୍ଵନ୍ଧରେ ପ୍ରଶିକ୍ଷିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଉଷ୍ଣ ଓ ଶୁଷ୍କ ଜଳବାୟୁ ଯୋଗୁଁ ଏଠାକାର ଆମ୍ବ ଶୀଘ୍ର ପାଚି ଯାଉଥିବା ଯୋଗୁଁ ଚାଷୀ ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଥିବା ଦେଖାଯାଇଛି । ବିଦେଶକୁ ଆମ୍ବ ରପ୍ତାନି ଯୋଗୁଁ ଅଞ୍ଚଳର ଚାଷୀ ଓ କୃଷକ ଉତ୍ପାଦନ କମ୍ପାନୀଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖାଦେଇଛି ।ଟିଟିଲାଗଡ଼ରୁ ପିକଅପ୍ ଯୋଗେ କଲିକତା ବିମାନବନ୍ଦର ଏବଂ ସେଠାରୁ ବିମାନ ଯୋଗେ ଏହା ଇଂଲଣ୍ଡକୁ ରପ୍ତାନି ପାଇଁ ପଠାଯାଇଛି । ସେହିପରି ଅନୁରୂପ ଭାବରେ ଟିଟିଲାଗଡ଼ ରେଳଷ୍ଟେସନରୁ ସମତା ଏକ୍ସପ୍ରେସ ଯୋଗେ ଦିଲ୍ଲୀ ସ୍ଥିତ ମଦର ଡାୟରୀକୁ ୨ ଟନ ଆମ୍ବ ରପ୍ତାନି କରାଯାଇଛି ।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ ଖତ୍ରି, ନାବାର୍ଡ ଡିଡିଏମ୍ ବିବେକ କୁମାର ନାୟକ, ଉପକୃଷି ନିର୍ଦ୍ଦେଶକ ଶ୍ରେୟା ଶାଶ୍ଵତୀ ଓ ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here