ଗନ୍ଧମାର୍ଦ୍ଧନ ପର୍ବତରେ ମାଓ କ୍ୟାମ୍ପ ଠାବ ; ବିପୁଳ ମାଓ ସାମଗ୍ରୀ ଜବତ

0
58

ବରଗଡ଼,୦୩/୦୬/୨୦୨୫(ଜେ.ଏନ୍.ଏସ୍.),ଗନ୍ଧମାର୍ଦ୍ଧନ ପର୍ବତ ଠାରେ ମାଓ କ୍ୟାମ୍ପ ଠାବ କରାଯିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ବରଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍.ପି. ପ୍ରହଲ୍ଲାଦ ସହାଇ ମୀନା ଘଟଣା ସମ୍ଵନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଏଠାରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଡି.ଭି.ଏଫ୍. ଟିମ କମ୍ବିଂ ଓପରେସନ ଆରମ୍ଭ କରିଥିଲେ । ଗନ୍ଧମାର୍ଦ୍ଧନ ଜଙ୍ଗଲ ମଧ୍ୟରୁ ମାଓ କ୍ୟାମ୍ପ ଠାବ କରାଯିବା ସହ ସେଠାରୁ  ଡିଟୋନେଟର, ବିସ୍ପୋରକ, ଟିଫିନ, ଛତା, ମାଓ ପୋଷାକ, ତାର, ପେନସିଲ, ବ୍ୟାଟେରୀ, ନକ୍ସଲ ପତ୍ରିକା, ବ୍ୟାନର ଆଦି ଜବତ କରାଯାଇଛି ।ପ୍ରକାଶ ଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ବରଗଡ଼ ଜିଲ୍ଲାର ପାଇକମାଳ, ଝାରବନ୍ଧ ଅଞ୍ଚଳକୁ ଲାଗିରହିଥିବା ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀ କାର୍ଯ୍ୟକଳାପ ଚାଲୁ ରହିଛି । ମାଓବାଦୀଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ପ୍ରଦର୍ଶନ ପରେ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଛି । ପଡୋଶୀ ଛତିଶଗଡ ରାଜ୍ୟରେ ମାଓ ଶିବିର ଉପରେ ପୁଲିସର ଘନଘନ ଆକ୍ରମଣ ପରେ ମାଓବାଦୀ ମାନେ  ନୂଆପଡା ଜିଲ୍ଲା ଜଙ୍ଗଲ ଦେଇ ଗନ୍ଧମାର୍ଦ୍ଦନ ପର୍ବତକୁ ଚାଲିଆସୁଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଗନ୍ଧମାର୍ଦ୍ଦନ ଏକ ବିଶାଳ ଜଙ୍ଗଲ ହୋଇଥିବା ଯୋଗୁଁ ଏବଂ ଏହା ପଡୋଶୀ ରାଜ୍ୟ ସହ ସଂଲଗ୍ନ ଥିବାରୁ ମାଓବାଦୀଙ୍କୁ ଏହା ବେଶ ସୁହାଇଥିବା ଦେଖିବାକୁ ମିଳିଛି । ତେବେ ଆଗକୁ କମ୍ୱିଂ ଓପରେସନ ଆହୁରି ଜୋରଦାର କରାଯିବ ବୋଲି ଏସ୍. ପି. ଶ୍ରୀ ମୀନା ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here