ଟିଟିଲାଗଡ଼ ସହରରେ ୧୩୨ କେଭି ଗ୍ରୀଡ ସ୍ଥାପନା ପାଇଁ ଶକ୍ତି ମନ୍ତ୍ରୀଙ୍କୁ ବିଧାୟକ ନବୀନ ଜୈନଙ୍କ ଦାବୀ

0
91

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ସହର ମଧ୍ୟରେ ୧୩୨ କେଭି ଗ୍ରିଡ ସ୍ଥାପନା କରିବାକୁ ଦୁଇ ଦଶନ୍ଧିରୁ ଉର୍ଦ୍ଧ ଧରି ଅଞ୍ଚଳ ବାସିଙ୍କ ଦାବୀ ରହି ଆସିଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନବ ନିଯୁକ୍ତ ବିଧାୟକ ନବୀନ ଜୈନ ସୋମବାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିସହ ବିଧାୟକ ଶ୍ରୀ ଜୈନ ସହରବାସୀଙ୍କ ଏହି ଆବଶ୍ୟକତା ସମ୍ଵନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବର୍ଷ ତମାମ ଟିଟିଲାଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଥିବା ବେଳେ ଏହା ସହରବାସୀଙ୍କ ଦେହସୁହାରେ ପରିଣତ ହୋଇଛି । ରାଜନୀତିକ ଇଛାଶକ୍ତିର ଅଭାବ ଯୋଗୁଁ ଓ ପ୍ରଶାସନିକ ଅକ୍ଷମତା ଯୋଗୁଁ ସହରର ବାସ୍ତବ ବିକାଶ ବାଟବଣା ହୋଇଥିବା ବେଳେ ସହରବାସୀ ପାଇଁ ଅତ୍ୟାବଶ୍ୟକ ଥିବା ୧୩୨ କେଭି ଗ୍ରୀଡ଼ ସ୍ଥାପନା ସ୍ୱପ୍ନ ହୋଇ ରହିଛି । ଏପରିକି ଗ୍ରୀଡ଼ ସ୍ଥାପନା ପାଇଁ ଖୋଦ୍ ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ବିଭାଗୀୟ ଦାବୀ ହୋଇ ଆସୁଛି ।

କେସିଙ୍ଗା ଗ୍ରୀଡ଼ରୁ ଟିଟିଲାଗଡ଼ ସହରକୁ ବିଦ୍ୟୁତ୍ ସରୋବରାହ ହେଉଥିବା ବେଳେ ବାରମ୍ବାର ରକ୍ଷଣାବେକ୍ଷଣ ସତ୍ତ୍ୱେ କ୍ରମାଗତ ଭାବରେ ଦେଖାଦେଉଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ଓ ତୁଷୁରାରେ ଗ୍ରୀଡ଼ ରହିଥିବା ବେଳେ ଜିଲ୍ଲା ମାନ୍ୟତା ରଖୁଥିବା ଟିଟିଲାଗଡ଼ ଭଳି ପ୍ରମୁଖ ସହରରେରେ ଆବଶ୍ୟକତା ସତ୍ତ୍ୱେ ଗ୍ରୀଡ଼ ସ୍ଥାପନା ନ ହେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଗ୍ରୀଡ୍ ସ୍ଥାପନା ପାଇଁ ଆବଶ୍ୟକୀୟ ସରକାରୀ ଜମି ଉପଲବ୍ଧ କରାଇବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି ହେବା ଆଲୋଚନା ହେଉଥିବା ବେଳେ ସହର ପାର୍ଶ୍ଵରେ ଥିବା ଏକର ଏକର ସରକାରୀ ଜବର ଦଖଲ ଜମିକୁ ମୁକ୍ତ କରି ସେଠାରେ ଗ୍ରୀଡ଼ ସ୍ଥାପନ କରିବାକୁ ସହରବାସୀ ଦାବୀ କରିଛନ୍ତି । ଗ୍ରୀଡ଼ ସ୍ଥାପନା ନେଇ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ଶକ୍ତି ମନ୍ତ୍ରୀ ଶ୍ରୀ ସିଂ ଦେଓ ପ୍ରକାଶ କରିଥିବା ବିଧାୟକ ନବୀନ ଜୈନ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here