ବନ୍ୟଜନ୍ତୁ ଶିକାର ଘଟଣାର ମାସେ ପରେ ବନବିଭାଗର ହାତଖାଲି

0
96

ସଇଁତଳା,୦୬/୦୮(ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ଦିନକୁଦିନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏହି ରେଞ୍ଜ ଅନ୍ତର୍ଗତ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ମାସକ ପୂର୍ବରୁ କନ୍ଧକେଲ ଗାଁ ସେକ୍ସନ ଅନ୍ତର୍ଗତ ବନ୍ୟଜନ୍ତୁ ଶିକାର କରାଯାଉଥିବା ଖବରପାଇ ବନ ବିଭାଗ ଚଢ଼ାଉ କରିଥିଲା । ଚଢାଉ ସମୟରେ ମୃତ ବରାହ, ଗୋଧି, ଦୁଇଟି ଗୁଞ୍ଛାମୂଷା, ୧୧ ଗୋଟି ମଟର ସାଇକେଲ, ୨ ଟି ସାଇକେଲ ଆଦି ବନବିଭାଗ ଟିମ୍ ଜବତ କରିଥିବା ବେଳେ ଶିକାରୀ ମାନେ ଫେରାର ମାରିଥିଲେ। ଘଟଣାକୁ ନେଇ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଘଟଣାକୁ ଇତିମଧ୍ୟରେ ମାସେ ବିତି ଥିବା ବେଳେ ବିଭାଗର ହାତ ଖାଲି ରହିଛି । ଅପରପକ୍ଷରେ ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଶିକାରୀମାନେ ବେଧଡ଼କ ବୁଲୁଥିବା ଅଭିଯୋଗ ହେଉଛି । ବନ୍ୟଜନ୍ତୁ ଶିକାରୀଙ୍କୁ ଜାଣିଶୁଣି ନ ଧରିବା ନେଇ ବିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ବନପାଳ ନିଜ ସେକ୍ସନରେ ରହୁ ନ ଥିବା ଯୋଗୁଁ ଏହାର ସୁଯୋଗ ନେଇ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବଲାଙ୍ଗୀର ଏ ସିଏଫ ଜିତେନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ସଂପୃକ୍ତ ବନପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଅଭିଯୁକ୍ତ ଶିକାରୀଙ୍କ ବିରୋଧରେ ୱାରେଣ୍ଟି ଜାରୀ କରାଯିବା ନେଇ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here