ବଲାଙ୍ଗିରରେ ଜାତୀୟ ପ୍ରେସ ଦିବସ ପାଳିତ

0
63

ବଲାଙ୍ଗିର,୧୭/୧୧,(ଜେଏନ୍ଏସ୍),ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ସଂଦୀପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଶିବାଜୀ ଗୌରବ ଇସଲୱାର ମୁଖ୍ୟଅତିଥି ଓ ପ୍ରଫେସର ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଏହି ଦିବସର ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ବର୍ଷର ପ୍ରେସ ଦିବସର ବିଷୟବସ୍ତୁ “ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୂପ” ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଗଣମାଧ୍ୟମ ସବୁବେଳେ ପ୍ରଶାସନକୁ ସହଯୋଗ କରିଆସିଛି ଏବଂ ଗଣମାଧ୍ୟମର ସ୍ୱରୂପ ଯାହା ହେଉ ନା କାହିଁକି ଲୋକଙ୍କ ଓ ପ୍ରଶାସନ ମଧ୍ୟରେ ଏହା ଏକ ସେତୁ ଭଳି କାମ କରୁଥିବ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ । ସେହିପରି ମୁଖ୍ୟବକ୍ତା ପ୍ରଫେସର ମହାନ୍ତି ତାଙ୍କ ବକ୍ତବ୍ୟରେ ଦେଶରେ ଓ ରାଜ୍ୟରେ ଗଣମାଧ୍ୟମର କ୍ରମବିକାଶ କଥା କହିବା ସହିତ ଗଣମାଧ୍ୟମର ସ୍ୱରୂପରେ ବହୁତ ପରିବର୍ତ୍ତନ ଆସିଛି । ଓଡିଶାର ୧୮୬୬ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଖବରକାଗଜ ପ୍ରକାଶିତ ହୋଇଛି । ମୁଖତଃ ୧୮୬୬ର ମହାଦୁର୍ଭିକ୍ଷ ପରେ ଲୋକଙ୍କ ବେଦନାକୁ ବାହାର ଦୁନିଆକୁ ଜଣାଇବାକୁ ଗଣମାଧ୍ୟମ ଆରମ୍ଭ ହୋଇଥିଲା । ସେତେବେଳେ ଜ୍ଞାନୀଲୋକମାନେ ସାମ୍ବାଦିକତାକୁ ବୃତ୍ତିଭାବରେ ନନେଇ ଏକ ସମାଜସେବାର ପ୍ରବୃତ୍ତି ହିସାବରେ ଗ୍ରହଣ କରିଥିଲେ । ସେମାନଙ୍କ ପାଇଁ ସାମାଜିକ ପରିବର୍ତ୍ତନ ଆସୁଥିଲା । ପରେପରେ ରେଡିଓ, ଟିିଭି ଇତ୍ୟାଦି ବୈଦ୍ୟୁତିକ ଗଣାମାଧ୍ୟମ ଓ ଡିଜିଟାଲ ସାଙ୍ଗକୁ ଏଆଇର ପ୍ରଚଳନ ଆରମ୍ଭ ହେଲାଣି । ଗଣାମାଧ୍ୟମର ସ୍ୱରୂପ ଅନେଜକ ମାତ୍ରାରେ ବଦଳିଗଲାଣି କିନ୍ତୁ ଗଣମାଧ୍ୟମର ବିଶ୍ୱସନୀୟତା ଆଜି ମଧ୍ୟ ରହିଛି । ଗଣମାଧ୍ୟମର ସ୍ୱରୂପ ବଦଳିପାରେ କିନ୍ତୁ ଗଣମାଧ୍ୟମ, ସାମ୍ବାଦିକ ଓ ସାମ୍ବାଦିକତା ବଞ୍ଚିରହିଥିବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଆନନ୍ଦଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ବୀରେନ୍ଦ୍ର କୁମାର ଝାଙ୍କର ପ୍ରମୁଖ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥି, ନବୀନ ପଶାୟତ, ସୁଧିର ମିଶ୍ର, ବଳରାମ ମିଶ୍ର, ରଂଜିତ ବେହେରା, ଶରତ ମିଶ୍ର, ସୁନିଳ ମହାନ୍ତି, ଶରତ ମହାକୁର, ଅଞ୍ଚନ ପଧାନ, ବିଭୂକଲ୍ୟାଣ ଗଡତ୍ୟା, ଦୀପକ ପୁରୋହିତ, ଯୁଧିଷ୍ଠିର ମେହେର, ପୂର୍ବତନ ସୈନିକସଂଘର ପ୍ରତାପ ରଥ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ସ୍ୱେଚ୍ଛାସେବୀ ବିବେକାନନ୍ଦ ପଟେଲ ପ୍ରମୁଖଙ୍କ ସହ ବିଭିନ୍ନ ସାମାଜିକ ସଙ୍ଗଠନର ପ୍ରତିନିଧି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here