ଏସଭିନିରତାର ସେଟଲାଇଟ ସେଣ୍ଟର ଅବହେଳିତ : ଦୁଇ ଏକର ଜମିପାଇଁ ଅଟକିରହିଛି ଦିବ୍ୟାଙ୍ଗ ହସପିଟାଲ ଓ ଟ୍ରେନିଂସେଣ୍ଟର .

0
89

ବଲାଙ୍ଗିର,୦୧/୦୭ (ଜେଏନ୍ଏସ୍), କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ବଲାଙ୍ଗିର ସ୍ଥିତ ଏସଭିନିରତାର ସେଟେଲାଇଟ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ଉଠିଛି । ଅନୁଷ୍ଠାନକୁ ଆବଶ୍ୟକ ଜମି ଯୋଗାଇ ଦିଆଯାଇ ପାରିଲେ ଏହା ଏକ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନରେ ପରିଣତ ହୋଇପାରିବ । ତେଣୁ ଏଥିପ୍ରତି ରାଜ୍ୟ ସରକାର ଘଟଗାଁ ସ୍ଥାନୀୟ ପ୍ରଶାସନ ସଦେୟ ହେବାକୁ ଦାବୀ ହୋଇଛି । ପୂର୍ବ ସରକାର ସମୟରେ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ରାଜ୍ୟସରକାର ସହଯୋଗ କରୁନଥିବା ଅଭିଯୋଗ ଉଠୁଥିବା ବେଳେ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପାର ଡବଲଇଞ୍ଜିନ ସରକାର ଚାଲିଛି । ଅନ୍ତତଃ ଏହି ସମୟରେ କେନ୍ଦ୍ରୀୟ ଅନୁଷ୍ଠାନ ଉପକୃତ ହେବେ ବୋଲି ସାଧାରଣରେ ଆଶା ସଂଚାର ହୋଇଛି । ବଲାଙ୍ଗିରଠାରେ ଥିବା ଓଲଟପୁର ଏସଭିନିରତାର ଅନୁଷ୍ଠାନର ସେଟେଲାଇଟ ସେଣ୍ଟର ଗତ ୬ବର୍ଷ ହେଲା ଅବହେଳିତ ହୋଇ ଆସୁଥିବା ଅଭିଯୋଗ ହୋଇଛି । ରାଜ୍ୟସରକାର ଏହି ଅନୁଷ୍ଠାନକୁ ମାତ୍ର ୩ଏକର ଜମି ଯୋଗାଇ ଦେଇଥିବା ବେଳେ ଆଉ ୨ ଏକର ଜମି ପାଇଁ ଅନୁଷ୍ଠାନର କତ୍ତୃପକ୍ଷ ପ୍ରଶାସନ ପାଖକୁ ଧାଉଁଛନ୍ତି । ଏହି ୨ ଏକର ଜମି ମିଳିଲେ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ନିଜସ୍ୱ ଡାକ୍ତରଖାନା ଓ ତାଲିମକେନ୍ଦ୍ର ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି । ତେବେ ବର୍ତ୍ତମାନ ଯାଏ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆଉ ୨ ଏକର ଜମି ଯୋଗାଇଦେବାରେ ବିଫଳ ହୋଇଛନ୍ତି । ଏପରିକି ଏହି ଅନୁଷ୍ଠାନକୁ ଲାଗିରହିଥିବା ସରକାରୀ ଜମିକୁ କିଛି ପ୍ରଭାବଶାଳୀ ଜବରଦଖଲକାରୀଙ୍କ ହାତକୁ ପ୍ରଶାସନ ଟେକିଦେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ପଶ୍ଚିମାଞ୍ଚଳର ଦିବ୍ୟାଙ୍ଗ ମାନେ ଚିକିତ୍ସା ପାଇଁ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ ସଂସ୍ଥାନ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ତେଣୁ ଏହି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ, ଦିବ୍ୟାଙ୍ଗ ଜନସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗିରରେ ଏସଭିନିରତାରର ଏକ ସେଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ କରିଥିଲେ । ଏହି ଅନୁଷ୍ଠାନ ପାଇଁ ମୋଟ ୫ଏକର ଜମି ଆବଶ୍ୟକ କରୁଥିବା ବେଳେ ପ୍ରଶାସନ ମାତ୍ର ୩ଏକର ଜମି ଯୋଗାଇଦେଇ ପରେ ଆବଶ୍ୟକ ଜମି ପୁଣି ଯୋଗାଇଦେବ ବୋଲି କହିଥିଲା । ପ୍ରାୟ ୫କୋଟି ଟଙ୍କାରେ ଏଠାରେ ବିଲଡିଂନିର୍ମାଣ ହୋଇ ଆନୁଷଙ୍ଗିକ ଯନ୍ତ୍ରପାତି ଆସି ଗତ ୨୦୧୮ ମସିହାରେ ବଲାଙ୍ଗିର ବିଜାଖମନ ମୌଜାର କେନ୍ଦ୍ରୀୟବିଦ୍ୟାଳୟ-୨ ପାଖରେ ଅନୁଷ୍ଠାନଟି ଆରମ୍ଭ ହେଲା । ଏବେ ହଜାର ହଜାର ସଂଖ୍ୟାରେ ଦିବ୍ୟାଙ୍ଗ ଶିଶୁ ଓ ବ୍ୟକ୍ତି ଏହି ଅନୁଷ୍ଠାନରୁ ଉପକୃତ ହେଉଛନ୍ତି । ଏହା ବ୍ୟତିତ ସ୍ନାୟୁଜନିତ ଓ ଅରଥୋପେଡିକ୍ସ ସମସ୍ୟା ଥିବା ଲୋକେ ଫିଜିଓଥେରାପି ଭଳି ଚିକିତ୍ସାର ସୁବିଧା ପାଉଛନ୍ତି । ଏବେ ଜଣେ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୧୬ଜଣ ବ୍ୟକ୍ତି ଏଠାରେ କାର୍ଯ୍ୟରତ ଅଛନ୍ତି । ଏବେ ଏଠାରେ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ପ୍ରୋସଥେଷ୍ଟିକସ ଓ ଅରଥୋଟିକସ, ସ୍ପେସିଆଲ ଏଜୁକେସନ, ସ୍ପିଚ ଓ ହିୟରିଂ, ସୋସିଆଲୱାର୍କ ଏଣ୍ଡ ପ୍ଲେସମେଣ୍ଟ ୟୁନିଟ, ଓରିଏଣ୍ଟେସନ ଏଣ୍ଡ ମୋବିଲିଟି ଟ୍ରେନିଂ, ଭୋକେସନଲା ଟ୍ରେନିଂ, କ୍ଲିନିକାଲ ସାଇକୋଲୋଜି ଭଳି ଚିକିତ୍ସା ଚାଲିଛି । କଟିଯାଇଥିବା ହାତଗୋଡ ବଦଳରେ କୃତୃିମ ହାତଗୋଡ ଲଗାଯାଇ ଦିବ୍ୟାଙ୍ଗ ପାଲଟିଯାଇଥିବା ଲୋକଙ୍କ ପାଇଁ ଆଶାର କିରଣ ଦେଉଛନ୍ତି । ଦିବ୍ୟାଙ୍ଗମାନଙ୍କୁ ଚିକିତ୍ସା ସୁବିଧା ସହ କୃତିମ ହାତଗୋଡ ଲଗାଇ ବଞ୍ଚିବାପାଇଁ ଜୀବନଜୀବିକାର ତାଲିମ ମଧ୍ୟ ଦେଉଛନ୍ତି । ସମାଜର ଅବହେଳିତ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ଏହି ଅନୁଷ୍ଠାନର ଯଥେଷ୍ଟ ଭୂମିକା ରହିଛି । ଏବେ ଆଗକୁ ଏକ ତାଲିମ କେନ୍ଦ୍ର ଓ ୫୦ ଶର୍ଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ଅନୁଷ୍ଠାନକୁ ଆଉ ୨ଏକର ଜମିର ଆବଶ୍ୟକତା ରହିଛି । ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ହେଲା ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ଏନେଇ ଚିଠିକରି ଜମି ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏବେ ରାଜ୍ୟସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଓ ଭାଜପା ସାଂସଦ ସଂଗୀତାକୁମାରୀ ସିଂଦେଓ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜନସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here