ଦାଦନ ଚାଲାଣରେ ଅଙ୍କୁଶ ନାହିଁ ଟିଟିଲାଗଡ଼ ରେଳ ଷ୍ଟେସନରୁ ବଢୁଛି ଦାଦନଯାତ୍ରା

0
51

ଟିଟିଲାଗଡ଼,୦୬/୦୧/୨୦୨୫,(ଜେଏନ୍ଏସ୍),ମାନବ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜକୁ କଳୁଷିତ କରିବା ସହ ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡ ଟେକିଛି । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରେ ବୃଦ୍ଧି ପାଉଥିବା ଦାଦନ ଚାଲାଣ ଗ୍ରାଫ ଉପରେ ଅଙ୍କୁଶ ଲଗାଇବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏଥିରେ ବିଶେଷ ସଫଳତା ମିଳିପାରି ନ ଥିବା ଦେଖିବାକୁ ମିଳିଛି । ଗତ ଶନିବାର କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୩ ଶହ ରୁ ଉର୍ଦ୍ଧ୍ଵ ଦାଦନ ଶ୍ରମିକ ଚାଲାଣ କରାଯାଇଥିବା ବେଳେ ରବିବାର ଟିଟିଲାଗଡ଼ ରେଳ ଷ୍ଟେସନରୁ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ରବିବାର ଟାଟା ଅର୍ଣ୍ଣାକୁଲମ୍ ଏକ୍ସପ୍ରେସ ଟ୍ରେନ ଦିନ ୩ ଟାରେ ଟିଟିଲାଗଡ଼ ପହଞ୍ଚିବା ପରେ ଶତାଧିକ ଦାଦନ ଶ୍ରମିକ ଏହି ଟ୍ରେନରେ ଦାଦନ ଯାତ୍ରା କରିଥିଲେ । ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ଷ୍ଟେସନ ଚାରି ପଟୁ ଖୋଲା ମେଲା ରହିଛି । ଏହା ଦାଦନ ଶ୍ରମିକ ଚାଲାଣକାରୀଙ୍କୁ ବେଶ ସୁହାଇଥିବା ବେଳେ  ପ୍ରଶାସନର  ନିଷ୍କ୍ରିୟତା ଏମାନଙ୍କ ମନୋବଳ ବୃଦ୍ଧି କରିଛି । ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ବେଶ୍ ପରିଚିତ । ଏହି ଅଞ୍ଚଳରେ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମନରେଗା ମଧ୍ୟ ଦାଦନ ରୋକିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । କର୍ମ ନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବହୁ ଲୋକ ଦାଦନ ଖଟିବାକୁ ଯାଇ ବାରମ୍ବାର ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ନଜିର ରହିଛି । 

LEAVE A REPLY

Please enter your comment!
Please enter your name here