ଭି.ଆଇ.ପି. କଲଚର୍ କୁ ନା ପସନ୍ଦ : ଜନତାଙ୍କ ମେଳରେ ପ୍ରସାଦ ଗ୍ରହଣ କଲେ ଟିଟିଲାଗଡ଼ ବିଧାୟକ

0
75

ଟିଟିଲାଗଡ଼,୦୯/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ରଥଯାତ୍ରା ପର୍ବ ମହା ସମାରୋହରେ ପାଳିତ ହୋଇଛି । ତିନି ଠାକୁର ମାଉସୀ ମା ମନ୍ଦିରରେ ପହଞ୍ଚିଛନ୍ତି । ପରମ୍ପରା ମୁତାବକ ଦଧିବାମନ ଟ୍ରଷ୍ଟ ପକ୍ଷରୁ ଆଜି ଠାରୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପକ୍ଷରୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା ।  ପ୍ରତି ବର୍ଷ ମନ୍ଦିର ସମ୍ମୁଖରେ ସାଧାରଣ ଜନତାଙ୍କୁ ଅନ୍ନ ପ୍ରସାଦ ବଫେ ବ୍ୟବସ୍ଥାରେ ଛିଡା କରି ଖାଇବାକୁ ଦିଆଯାଇ ଆସୁଛି । ମନ୍ଦିର ଭିତରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବସିଵା ବ୍ୟବସ୍ଥା କରି ଅନ୍ନ ପ୍ରସାଦ ଦିଆଯାଇଥାଏ । ତେବେ ବିଧାୟକଙ୍କୁ ଏହି ବ୍ୟବସ୍ଥା ଅନ୍ତର୍ଗତ ପ୍ରସାଦ ସେବନ ପାଇଁ ଡକା ଯିବାରୁ ସେ ଏହାକୁ ବାରଣ କରିବା ସହ ସାଧାରଣ ଜନତାଙ୍କ ସହ ବାହାରେ ଛିଡ଼ାହୋଇ ପ୍ରସାଦ ଗ୍ରହଣ କରିବେ ବୋଲି କହିଥିଲେ । ଏନେଇ ଟ୍ରଷ୍ଟ ସଦସ୍ୟ ତଥା ଉପସ୍ଥିତ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଉତ୍ସାହିତ ହୋଇ ସଭିଏଁ ସାଧାରଣ ଜନତାଙ୍କ ସହ ଛିଡ଼ାହୋଇ ମହାପ୍ରସାଦ ଗ୍ରହଣ କରିଥିଲେ । ଏହାକୁ ନେଇ ସାଧାରଣରେ ମନ୍ଦିର ଅନ୍ନଭୋଗ ଗ୍ରହଣରେ ପୂର୍ବ ଭି.ଆଇ.ପି. କଲଚର୍ ର ପରିସମାପ୍ତି ହେଲା ବୋଲି ଚର୍ଚ୍ଚା ହୋଇଛି । ନବନିର୍ବାଚିତ ବିଧାୟକଙ୍କ ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, କମ୍ବୁପାଣି ପାଢ଼ୀ, ଭବାନୀ ପ୍ରସାଦ ହୋତା, ଅଲେଖ ଦଳବେହେରା, ରିଙ୍କୁ ଅଗ୍ରୱାଲ, ରାଜୁ ମିଶ୍ର ପ୍ରମୁଖଙ୍କ ସହ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here