କାମରେ ଲାଗୁନି ‘ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟ ସ୍ଥଳୀ’ : ବର୍ଷାଦିନରେ ରାସ୍ତାକଡ଼ରେ ବାସହୀନଙ୍କ କଟୁଛି ରାତି

0
99

ଟିଟିଲାଗଡ଼,୧୩/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ସହରର ବାସହୀନଙ୍କୁ ଆଶ୍ରୟ ଦେବାକୁ ରେଳ ଷ୍ଟେସନ ନିକଟରେ ‘ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ’ ନିର୍ମାଣ କରାଯାଇଛି । ଗତ ବର୍ଷ ଅଗଷ୍ଟ ମାସ ୨୯ ତାରିଖରେରେ ଏହା ଲୋକାର୍ପିତ ମଧ୍ୟ ହୋଇସାରିଛି । ତତ୍କାଳୀନ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ବାସହୀନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ତେବେ ପରିତାପର ବିଷୟ ଯେ, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇ ଏବଂ ଲୋକାର୍ପିତ ହୋଇ ମଧ୍ୟ ଏହି ଆଶ୍ରୟ ସ୍ଥଳୀ ଏ ଯାଏଁ ବାସହୀନଙ୍କ କାର୍ଯ୍ୟରେ ଲାଗିପାରି ନାହିଁ । ଏହି ପ୍ରକଳ୍ପ ସମ୍ପୂର୍ଣ ରୂପରେ ତାର ଉଦ୍ଦେଶ୍ୟରୁ ଲକ୍ଷ୍ୟଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି । ବର୍ଷା ଋତୁରେ ସହର ମଧ୍ୟରେ ଥିବା ବାସହୀନମାନେ ବହୁ କଷ୍ଟରେ ବିଭିନ୍ନ ଦୋକାନ ବାରଣ୍ଡା, ରେଳ ଷ୍ଟେସନ ଓ ରାସ୍ତା କଡ଼ରେ ଦୟନୀୟ ସ୍ଥିତିରେ ରାତ୍ରି ଯାପନ କରୁଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଏହି କୋଠା ପରିସରରେ ଅସାମାଜିକ ଯୁବକଙ୍କ ଆସର ଜମୁଥିବା ଦେଖିବାକୁ ମିଳିଛି । ପୌର କାର୍ଯ୍ୟାଳୟ ନିକଟରେ ଥାଇ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବା ଏହି ଆଶ୍ରୟ ସ୍ଥଳୀକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି । ଏ ସମ୍ବନ୍ଧରେ ପୌର ନିର୍ବାହୀ ଅଧିକାରୀ ଜୟସେନ୍ ଧରୁଆଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଏହି କୋଠା ବର୍ତ୍ତମାନ ଯାଏ ପି.ଡବ୍ଲୁ.ଡି. ବିଭାଗ ପୌର ପରିଷଦକୁ ହସ୍ତାନ୍ତର କରି ନ ଥିବା କହିଛନ୍ତି । ତେବେ ଉଦଘାଟନକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଏହା ପୌରପରିଷଦକୁ ହସ୍ତାନ୍ତର ନ ହେବା ଓ କାର୍ଯ୍ୟକ୍ଷମ ନ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here