ମରିସସରେ ଓଡ଼ିଆ ଶ୍ରମିକ ମୃତ,ନିର୍ଯ୍ୟାତନା ଅଭିଯୋଗ

0
96

ଟିଟିଲାଗଡ଼,୨୧/୦୮(ଜେଏନ୍ଏସ୍): ଶ୍ରମିକ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜକୁ କଳୁଷିତ କରିବା ସହ  ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡ ଟେକିଛି । ରାଜ୍ୟରେ ପଶ୍ଚିମ ଓଡ଼ିଶାର ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ବେଶ୍ ପରିଚିତ । କର୍ମନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବହୁ ଯୁବକ ଦାଦନ ଖଟିବାକୁ ଯାଇ ବାରମ୍ବାର ଅକଥନୀୟ ନିଯ୍ୟାତନାର ଶିକାର ହେଉଥିବା ନଜିର ରହିଛି । ବିଦେଶକୁ ଶ୍ରମିକ ଚାଲାଣ କରୁଥିବା ଏଜେଣ୍ଟ ସ୍ଥାନୀୟ ବେକାର ଯୁବକଙ୍କୁ ଉତ୍ତମ ରୋଜଗାରର ଆଶା ଦେଖାଇ ବିଦେଶ ଚାଲାଣ କରୁଥିବା ବେଳେ ବହୁ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇ ଜୀବନ ହରାଉ ଥିବା ଦେଖାଯାଇଛି । ଏହିଭଳି ଏକ ଘଟଣା ଟିଟିଲାଗଡ଼ ସହରର ସର୍ଗିଗୁଡା ସ୍ଥିତ ଏକ ଗରିବ ପରିବାରର ସହ ଘଟିଛି । ସୂଚନା ଅନୁଯାୟୀ ସର୍ଗିଗୁଡ଼ା ନିବାସୀ ସ୍ଵର୍ଗତ ଜୟ ଛାତ୍ରିଆଙ୍କ ପୁଅ ରାକେଶ ଛତ୍ରିଆ ଗୁଜୁରାଟର ସୁରଟ ଠାରେ ଶ୍ରମିକ ଭାବରେ କିଛିବର୍ଷ ଧରି କାର୍ଯ୍ୟ କରୁଥିଲେ । ତେବେ ପ୍ରାୟ ବର୍ଷକ ପୂର୍ବରୁ ଅଧିକ ରୋଜଗାର ଆଶାରେ ଏକ ଶ୍ରମିକ ଦଲାଲ ମାଧ୍ୟମରେ ମରିସସ ଚାଲିଯାଇଥିଲେ । ରାକେଶଙ୍କ ବାପା ଜୟ ଛତ୍ରିଆ ଏକ ଠେଲା ଚାଳକ ଭାବରେ ନିଜ ପରିବାରର ୧୦ ପ୍ରାଣୀଙ୍କ ଗୁଜୁରାଣ ମେଣ୍ଟାଉ ଥିଲେ ।ତାଙ୍କ ୫ ପୁଅ ଓ ୩ ଝିଅ ମଧ୍ୟରେ ରାକେଶ ବଡ ପୁଅ ହୋଇଥିବାରୁ ରୋଜଗାରରେ ବାପାଙ୍କ ବୋଝ ଲାଘବ କରିବାକୁ ସେ ଘରୁ ଗୋଡ଼ କାଢିଥିଲେ। ତେବେ ଗତ ସପ୍ତାହରେ ଡାଇରିଆରେ ଜୟଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ଖବର ପାଇ ଦଶାହ କାର୍ଯ୍ୟକୁ ଆସିବାକୁ ଭାଇ ଉମେଶ ସହ ରାକେଶ ମରିସସରୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ।ଏହାର ଦିନକ ପରେ ରାକେଶ ମରିସସରେ ଆତ୍ମହତ୍ୟା କରିଥିବା ନେଇ ଏକ ଖବର ଆସିଥିଲା । ଏଥିସହ ନିଜକୁ ଏକ କମ୍ପାନୀର ଏମଡି ଦାବି କରୁଥିବା ପ୍ରବୀଣ ଅଗ୍ରୱାଲ କିଛି ପ୍ରମାଣ ପତ୍ର ହ୍ୱାଟ୍ସଏପ ଯୋଗେ ମୃତକଙ୍କ ପରିବାର ନିକଟକୁ ପଠାଇଥିଲେ । ମରିସସରେ ରାକେଶଙ୍କ ଶବଦାହ କରିବାକୁ ସମ୍ମତି ଥିବା, କମ୍ପାନୀ ଠାରୁ କୌଣସି ଦାବି ନ କରିବାକୁ ଲେଖାଥିବା ଏକ ସମ୍ମିଳିତ ଫର୍ମ ପଠାଇ ସେଥିରେ ପରିବାର ସଦସ୍ୟଙ୍କ ଦସ୍ତଖତ ମାଗିଥିଲେ । ରାକେଶଙ୍କ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ତାଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ବରିଷ୍ଠ ବିଜେପି ନେତ୍ରୀ ରଞ୍ଜୁ ରାଏମନ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବଲାଙ୍ଗିର ଜିଲାପାଳ ଏବଂ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅପରପକ୍ଷରେ ସ୍ୱାମୀଙ୍କ ଦଶାହ କାର୍ଯ୍ୟ ସରି ନ ଥିବା ବେଳେ ଭେଣ୍ଡିଆ ପୁଅକୁ ହରାଇ ରାଜେଶଙ୍କ ମା ଆଖିର ଲୁହ ଶୁଖୁ ନଥିବା ଦେଖାଯାଇଛି । ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେଇ ମରିସସରୁ ରାଜେଶଙ୍କ ଶବ ଆଣିବାକୁ ଓ ଘଟଣାର ତଦନ୍ତ କରିବାକୁ ନିଃସହାୟ ପରିବାର ଗୁହାରୀ କରିଛନ୍ତି । 

LEAVE A REPLY

Please enter your comment!
Please enter your name here