ଅପହଞ୍ଚ ସରକାରୀ ଯୋଜନା; ଦାରିଦ୍ର୍ୟତାର କରୁଣ ଚିତ୍ର, ୨୦ ହଜାର ଟଙ୍କାରେ ନବ ଜାତ ଶିଶୁ କନ୍ୟାକୁ ବିକ୍ରିକଲେ ଦମ୍ପତି

0
36

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଗରିବଙ୍କ ପାଇଁ ଉଦ୍ଧିଷ୍ଟ ମାଳମାଳ ସରକାରୀ ଯୋଜନା କେତେ ସଫଳ ଏହାର ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି । ଦାଦନଗଡ଼ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ପୂର୍ବରୁ ଶିଶୁ ବିକ୍ରି  ଭଳି ଘଟଣାକୁ ନେଇ ଦୁର୍ନାମ ଅର୍ଜନ କରିଥିବା ବେଳେ ଏବେ ପୁଣି ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡେର ଗ୍ରାମର ନୀଳ ରଣା ଓ କନକ ରଣା ନାମକ ଏକ ଗରିବ ଦମ୍ପତି ମାତ୍ର ୨୦ ହଜାର ଟଙ୍କାରେ ତାଙ୍କ ନବଜାତ କନ୍ୟାକୁ ବିକ୍ରି କରିଦେଇଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ନୀଳ ରଣାଙ୍କ ପ୍ରଥମ ସ୍ତ୍ରୀଙ୍କ ଔରସରୁ ୩ଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ପରିବାର ପ୍ରତିପୋଷଣ ପାଇଁ ଲାଗିରହିଥିବା ଆର୍ଥିକ ଅନଟନ ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଓ ତିକ୍ତତା ବୃଦ୍ଧି ପାଇ ନୀଳଙ୍କ ସ୍ତ୍ରୀ ତାଙ୍କୁ ଛାଡି ନିଜ ବାପ ଘରକୁ ଚାଲିଯାଇଥିଲେ । ନୀଳ କନକଙ୍କୁ ଦ୍ଵିତୀୟ ବିବାହ କରିବା ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।ପ୍ରଥମ କନ୍ୟାକୁ ମାତ୍ର ୧୩ ମାସ ହେଉଥିବା ବେଳେ କନକ ପୁଣି ଗର୍ଭବତୀ ହୋଇ ଦ୍ଵିତୀୟ କନ୍ୟାକୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଜନ୍ମ ଦେଇଥିଲେ । ଡ଼ାକ୍ତରଖାନାରୁ ଫେରିବା ପରେ ଗ୍ରାମର ରବି ମଛଖଣ୍ଡ ନାମକ ଏକ ମଧ୍ୟସ୍ଥି  ସାହାଯ୍ୟରେ ଦାରିଦ୍ର୍ୟତା ଯୋଗୁଁ ଉଭୟ ଦମ୍ପତି ନବଜାତ କନ୍ୟାକୁ ପାଇକମାଲ ଅଞ୍ଚଳର ଏକ ଦମ୍ପତିକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ନୀଳ ରଣା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଏବଂ ଏକ ଦିନ ମଜୁରିଆ ଭାବରେ ପରିବାର ପୋଷଣ କରୁଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାରୁ ସେ ବାଦ ପଡିଛନ୍ତି । ଏପରିକି ଏକ ମାଟି ଘରେ ଏହି ପରିବାର ରହୁଥିବା ବେଳେ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ରହିଛନ୍ତି ।ସରକାରଙ୍କ  ଯୋଜନା ଗ୍ରାଉଣ୍ଡ ଜିରୋରେ କେତେ ସଫଳ ତାହା ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆଣିଛି । ଘଟଣା ସମ୍ଵନ୍ଧରେ ଅବଗତ ହେବା ପରେ ପ୍ରଶାସନିକ ତତ୍ପରତା ଦେଖାଦେଇଛି । ଟିଟିଲାଗଡ଼ ପୁଲିସ ବାଗଡେର ଗ୍ରାମକୁ ଯାଇ କନ୍ୟା ପିତା ଓ ମଧ୍ୟସ୍ଥିକୁ ଥାନା ଆଣିଥିବା ଏବଂ ଏକ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ଶିଶୁ କନ୍ୟାକୁ ଉଦ୍ଧାର କରିବାକୁ ଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here