କାଗଜ କଲମରେ ସୀମିତ ରୋଗୀ କଲ୍ୟାଣ ସମିତି

0
33

ଟିଟିଲାଗଡ଼,୧୪/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ଦଶନ୍ଧି ଦଶନ୍ଧି ଧରି କେବଳ କାଗଜ କଲମରେ ସୀମିତ ରହିଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦେବାକୁ ସ୍ଥାନୀୟ ବିଧାୟକ ନବୀନ ଜୈନ ବିଧାନସଭା ଅଧିବେଶନରେ ଉପସ୍ଥାପନା କରିଥିବା ବେଳେ ଏହାର ସୁପରିଚାଳନା ପାଇଁ ଉଦ୍ଧିଷ୍ଟ ରୋଗୀ କଲ୍ୟାଣ ସମିତି ଏକ ପ୍ରକାର କୋମାରେ ରହିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ସମିତିର କୌଣସି ବୈଠକ ଅନୁଷ୍ଠିତ ହୋଇ ନ ଥିବା ବେଳେ ଏହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବେଶ ସୁହାଇଛି । ସରକାର ପରିବର୍ତ୍ତନ ପରେ ବିଧାୟକଙ୍କ ଅଧ୍ୟକ୍ଷତାରେ ନୂତନ ସମିତି ଗଠନ କରାଯାଇ ପ୍ରଥମ ଓ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଧାୟକ ଶ୍ରୀ ଜୈନ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନକୁ ଗୁରୁତ୍ଵ ଦେଇଥିଲେ । ଏଥିସହ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ପାଣ୍ଠିର ସଦ୍ ବିନିଯୋଗ କରାଯିବା ସହ ଆହାର କେନ୍ଦ୍ରରୁ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ପରିବର୍ତ୍ତେ ନିୟମ ଅନୁଯାୟୀ ସୁଷମ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ନିୟମିତ ଅନ୍ତରାଳେ ସମିତି ବୈଠକ ବସିବା ନେଇ ନିୟମ ରହିଥିବା ବେଳେ ଏହାର ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଏହି କମିଟି ଗଠନ ସମୟରେ  ସଦସ୍ୟ ହେବାକୁ ବ୍ୟାକୁଳ ଥିବା କିଛି ବ୍ୟକ୍ତି ବିଶେଷ ବର୍ତ୍ତମାନ ସ୍ଥିତିରେ ସକ୍ରିୟ ନ ରହିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । କମିଟି ସକ୍ରିୟ ନ ଥିବା ଯୋଗୁଁ ଡାକ୍ତରଖାନା କତ୍ତୃପକ୍ଷ ମନଇଛା ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରି କାର୍ଯ୍ୟକାରୀ କରୁଥିବା ଦେଖାଯାଇଛି । ଗୋଗୀଙ୍କୁ ସୁଷମ ଖାଦ୍ୟ ଯୋଗାଣ ପାଇଁ ନିୟୋଜିତ ହେବାକୁ ଥିବା ସଂସ୍ଥା ରୋଗୀ କଲ୍ୟାଣ ସମିତି ଦ୍ଵାରା ମନୋନୀତ ହେବାକୁ ଥିବା ବେଳେ ୨ ମାସ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ସିଧାସଳଖ ନିର୍ଦ୍ଧିଷ୍ଟ ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ଵ ପ୍ରଦାନ କରିଛନ୍ତି । ଘଟଣା ସମ୍ଵନ୍ଧରେ ହସ୍ପିଟାଲ ମ୍ୟାନେଜର ଦାୟିତ୍ୱରେ ଥିବା ରାକେଶ ଦାସଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଦୀର୍ଘଦିନ ଧରି ସମିତି ବୈଠକ ବସୁ ନ ଥିବା ସ୍ଵୀକାର କରିବା ସହ ନିଜ ଅସହାୟତା ପ୍ରକାଶ କରିଥିଲେ । 

LEAVE A REPLY

Please enter your comment!
Please enter your name here