ସାହିତ୍ୟିକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ
ଭୁବନେଶ୍ଵର,୦୧.୦୪.୨୦୨୫(ଜେ.ଏନ୍.ଏସ୍.), ମା ଶାରଳେ ! ଦେବୀ ଉତ୍କଳ ଭାରତୀ। ଝଙ୍କଡ଼ ବନବାସିନୀ। ବାଣୀ। ବାଗୀଶ୍ୱରୀ।ଚୈତନ୍ୟମୟୀ । କରୁଣାମୟୀ । ପ୍ରସନ୍ନା ହୁଅ ମା। ଏ ଜାତିର ଜଡ଼ନିଦ୍ରା ଭଙ୍ଗ କର। ହେ ବିକଚ ପଦ୍ମାସନା ! ପଦ୍ମ ପଲାଶନେତ୍ରା ! ଶୁଭେ!
ଶୁଭ୍ରେ! ତାର ମୁଦ୍ରିତ ହୃତ୍ କମଳକୁ ଉନ୍ମୋଚିତ କର; ବିକଶିତ କର! ଚକ୍ଷୁ ଯୁଗଳରୁ ମୋହାଞ୍ଜନ ପୋଛିଦିଅ ମାତଃ, ତାକୁ ଦୃଷ୍ଟି ଦିଅ । କୋମଳ କରସ୍ପର୍ଶରେ ତାର ଆତ୍ମା ପୁରୁଷ ଜାଗ୍ରତ ହୁଅନ୍ତୁ । ବୀଣାର ମଧୁର ଝଙ୍କାରରେ ତାର ମନ ମନ୍ଦିର ଝଙ୍କୃତ ହେଉ, ଶୁଭ ଶଙ୍ଖ ନିନାଦିତ ହେଉ ତାର ପ୍ରାଣରେ, ଅଙ୍ଗ ସକଳ ଜାଗ୍ରତ ହୁଅନ୍ତୁ, ସ୍ପନ୍ଦିତ ହୁଅନ୍ତୁ !
ହେ ଶୁଭଙ୍କରୀ ! ଶ୍ୱେତାମ୍ବରୀ! ତୁଷାରହାର ଧବଳେ ! ଏ ଜାତିର କାବ୍ୟପୁଋଷଙ୍କୁ ଜାଗ୍ରତ କର। ସେ ସଚେତନ ହୁଅନ୍ତୁ। ଭୂୟୋଦର୍ଶୀ ହୁଅନ୍ତୁ। ଆବିଷ୍କାର କରନ୍ତୁ ନିଜକୁ, ଦେଶକୁ,କାଳକୁ, ଅବିଚଳିତ ସତ୍ୟକୁ। ପୁଣ୍ୟ ଭୂମି ଉତ୍କଳର ନଦୀ ଗିରି ବନ ପ୍ରାନ୍ତର ତାଙ୍କର ଶ୍ରଦ୍ଧା ଲାଭ କରୁ, ପଶୁ ପକ୍ଷୀ ସ୍ଥାବର ଜଙ୍ଗମ ତାଙ୍କର ମନୋହରଣ କରନ୍ତୁ। ନର ନାରୀ ମାନଙ୍କ ରୂପ ରଙ୍ଗ ବଚନ, ସୁଖ ଦୁଃଖ ପ୍ରଣୟ ବିରହ ତାଙ୍କୁ ସମ୍ବେଦନଶୀଳ କରୁ! ସେ ଶ୍ରଦ୍ଧାମୟ, ସମ୍ବେଦନାମୟ, ପ୍ରକାଶମୟ ହୁଅନ୍ତୁ। ବାଂମୟ ହୁଅନ୍ତୁ, ମନ୍ତ୍ରମୟ,ସତ୍ୟମୟ ହୁଅନ୍ତୁ କାବ୍ୟ ପୁରୁଷ। ତାହାଙ୍କ ଚେତନାରେ ଋଷିକଣ୍ଠର ବେଦ ଧ୍ୱନିତ ହୁଅନ୍ତୁ। ବ୍ୟାସ ବାଲ୍ମିକୀ ପ୍ରତିଷ୍ଠିତ ହୁଅନ୍ତୁ ଭାଷା ଭାବ ଓ ଛନ୍ଦରେ। ହେ ସିଦ୍ଧେଶ୍ଵରୀ ଜନନୀ, ସିଦ୍ଧି ପ୍ରଦାନ କର ! ସାରଳା ଜଗନ୍ନାଥ ଉପେନ୍ଦ୍ର ଙ୍କ ଭାଷା ଲତିକା ନୂତନ ପୁଷ୍ପ ସମ୍ଭାରରେ ବିମଣ୍ଡିତ ହେଉ। ପ୍ରାଚୀନ ଯୋଗ୍ୟ ହେଉ ଏ ଦେଶର କବି! ଧନ୍ୟ ହେଉ ଏ ଦେଶ! ଧନ୍ୟ ହୁଅନ୍ତୁ ଦେଶବାସୀ!
ହେ ସର୍ବମଙ୍ଗଳ ମାଙ୍ଗଲ୍ୟେ। ଶିବେ! ସର୍ବାର୍ଥ ସାଧିକେ! ଜ୍ଞାନାଗ୍ନି ରୁପିଣୀ ! ଦଗ୍ଧିଭୂତ କର ଏ ଦେଶର ସହସ୍ର ଭାର କଳ୍ମଷକୁ। କାର୍ପଣ୍ୟରୁ , ମାଳିନ୍ୟରୁ, ଅମିତ୍ରପଣ, ଈର୍ଷା ଦ୍ୱେଷ ଅସୂୟାରୁ ମୁକ୍ତ କର ଆମର ଚେତନା। ହେ ଶକ୍ତି ରୂପିଣୀ , ସତ୍ୟରୁପା, କୋଟି ସୂର୍ଯ୍ୟସମ ପ୍ରଭେ । ଆମକୁ ତ୍ରିବିଧ ମୁଢ଼ତା , ତ୍ରିବିଧ ଦାରିଦ୍ର୍ୟରୁ ରକ୍ଷାକର ଜନନୀ ! ଆମକୁ ଦୃଷ୍ଟି ଦିଅ, ହୃଦୟ ଦିଅ, ବିସ୍ତାର ଦିଅ । ଆମକୁ ନିର୍ଭୀକ କର । ସତ୍ୟସନ୍ଧ କର। ଜ୍ଞାନଦୀପ ରେ ଉଦ୍ଭାସୀତ କର ଆମ ମନୋଭୂମି । ପ୍ରାଣ ପ୍ଲାବିତ କର ପ୍ରେମ ମୈତ୍ରୀ ଆତ୍ମୀୟତାରେ । ଆମର ଚିନ୍ତା ପ୍ରାଞ୍ଜଳ, ଗଭୀର, ସୁସଂହତ ହେଉ। ବାକ୍ୟ ସତ୍ୟଦୀପିତ, ସତ୍ୟନିଷ୍ପନ୍ନ ହେଉ। ଲେଖନୀ ଦୃଢ଼ ନିଶ୍କମ୍ପ ହେଉ ।
ହେ ସାରସ୍ଵତ ବରାଭୟ ଦାତ୍ରୀ ! ସୁପ୍ରସନ୍ନା ହୁଅ । ବିଦୀର୍ଣ୍ଣ କର ଏ ଜଡତା । ଆକାଶ ମେଘମୁକ୍ତ ହେଉ, ସୂର୍ଯ୍ୟସ୍ନାତ ହେଉ। ଉତ୍କଳର କବି ଚିରକାଳ ତୋର ସନ୍ତାନ ଜନନୀ, ତାର କଣ୍ଠ ରେ ବିଜେ ହୁଅ । ଉଦ୍ଭାସିତ କର ତାର ସ୍ୱପ୍ନ ଜାଗୃତି ସୁଶୁପ୍ତିର ଭୂମି। ତାକୁ ଆୟୁ ଦାନ କର ମା, ବଳ ଦାନ କର, ଯଶ ଦାନ କର ! ତାକୁ ମାଧ୍ୟମ କର । ପ୍ରତିଷ୍ଠିତ ହେଉ, ପ୍ରକଟିତ ହେଉ ତୁମର ଆଖଣ୍ଡିତ ମହିମା। ବିଶ୍ଵ ବିଶ୍ରୁତ ହେଉ ଉତ୍କଳ ଭାରତୀ ।
ବି.ଦ୍ର. ସାହିତ୍ୟିକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କ ଏହି ରଚନାଟି ଯଦିଓ ୧୯୮୨ ରେ ଲିଖିତ, ଆଜି ବି ନିବେଦନଟି ଉପଯୁକ୍ତ। ତାଙ୍କ ପୁରୁଣା ପାଣ୍ଡୁଲିପି ରୁ ସଂଗ୍ରହ କରିଛନ୍ତି ଶଶିଭୂଷଣ ରଥ ।