୭୮ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

0
110

ଟିଟିଲାଗଡ଼,୩୦/୦୭ (ଜେଏନ୍ଏସ୍) : ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ରେହାନ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର, ତହସିଲଦାର ଶୁଭାଶିଷ ଶତପଥୀ, ସହକାରୀ ଜିଲ୍ଲାପାଳ ସଂଦୀପ ଚନ୍ଦ୍ରକାର, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ବିଗତ ବର୍ଷ ପରି ୧୫ ତାରିଖ ଦିନ ପ୍ରତ୍ୟୁଷ ଘ ୪.୩୦ ମିନିଟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ମିନିଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ଘ ୯.୧୫ ମିନିଟରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ, ଟିଟିଲାଗଡ଼ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ୟାରେଡ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ଅବସରରେ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ, ଦେଶାତ୍ମବୋଧକ ସଂଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ । ଏଥିସହ ସ୍ଥାନୀୟ ଉପକାରାଗାର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଏସସିଡି ବିଦ୍ୟାଳୟରେ ଅତିଥିଙ୍କ ଦ୍ଵାରା ମିଷ୍ଠାନ୍ନ ଓ ଫଳ ବଣ୍ଟନ କରାଯିବ । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ସରକାରୀ ଅନୁଷ୍ଠାନମାନଙ୍କରେ ବୃକ୍ଷ ରୋପଣ ଓ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ ଆୟୋଜନ କରାଯିବା କୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here