ରଥାରୂଢ ଶ୍ରୀଜଗନ୍ନାଥଙ୍କ ଅଧରପଣା ନିତି

0
107

ପୁରୀ,୧୮/୦୭ (ଜେଏନ୍ଏସ୍/ବଟ ପଣ୍ଡା) : ରଥାରୂଢ ଶ୍ରୀଜଗନ୍ନାଥଙ୍କ ନବଦିନାମତ୍କ ଯାତ୍ରାର ଦ୍ୱାଦଶ ଦିବସ ହେଉଛି ଅଧରପଣା ନିତି। ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରଥଯାତ୍ରାର ସମାପ୍ତିରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ବଳଭଦ୍ର ,ସୁଭଦ୍ରା ଦେବୀ ଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ଠାରେ ଏକ ବିଶେଷ ଭୋଗ ଅର୍ପଣ କରାଯାଏ ତାହାହିଁ ହେଉଛି ଅଧର ପଣା। ମାଟି ହାଣ୍ଡିରେ ଏହି ଭୋଗ ହୋଇଥାଏ। ଦାରୁବିଗ୍ରହ ମାନଙ୍କ ଅଧର ବା ଓଷ୍ଠ ପର୍ଯ୍ୟନ୍ତ ମାପ ହୋଇ ସେହି ଉଚ୍ଚତାର ମାଟି ହାଣ୍ଡି ପ୍ରସ୍ତୁତ କରାଯାଇଥାଏ।ଦ୍ୱାଦଶୀ ତିଥିରେ ଠାକୁର ମାନଙ୍କ ନିକଟରେ ମଧ୍ୟାହ୍ନ ଧୂପ ଉଠିବା ପରେ ଯାଇ ଅଧରପଣା ନିତି କାନ୍ତି ଆରମ୍ଭ ହୋଇଥାଏ। ପାଣିଆ ଆପଟ ନିଯୋଗର ଦୈନିକ ପାଳିଆ ସେବକ ଗଣ ସିଂହଦ୍ଵାର ନିକଟରେ ଉପସ୍ଥିତ ରହି ଗୁମୁଟର ଦକ୍ଷିଣ ଦ୍ୱାରରେ ଥିବା ଛାଉଣୀ ମଠ କୂପରୁ ରଥ ଉପରକୁ ପାଣି ଆଣନ୍ତି। ରଥପଟା ଉପରେ କଞ୍ଚାମାଟି ରଖାଯାଇ ଏହା ଉପରେ ପୋଡା ମାଟିହାଣ୍ଡି ବା ଅଧରପଣା ହାଣ୍ଡି ରଖାଯାଏ । ସର୍ବ ପ୍ରଥମେ ପାଳିଆ ସୁଆର ମାନେ ବଳଭଦ୍ର ଦେବଙ୍କ ରଥ ଉପରେ ଅଧରପଣା ନିତି କରନ୍ତି। ପରେପରେ ମା ଭଗବତୀ ସ୍ୱରୂପିଣୀ ମା ସୁଭଦ୍ରାଙ୍କ ରଥରେ ଅଧରପଣା ନିତି ହୁଏ। ପରିଶେଷର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ କରାଯାଏ। ଭକ୍ତଙ୍କ ପାପତାପ ହରଣ ପାଇଁ ଭକ୍ତବତ୍ସଳ ମହାପ୍ରଭୁ ବାହୁ ପ୍ରସାରି ଅଭିନନ୍ଦନ କରୁଛନ୍ତି ଭକ୍ତ ମାନଙ୍କୁ। ଅଧର ପଣାର ଗୋଟିଏ ଦିନ ପୂର୍ବରୁ ମହଣ ମହଣ ରତ୍ନ ଖଚିତ ଅଳଙ୍କାର ପିନ୍ଧି ଝଟକୁଥିଲେ ବିଶ୍ୱନିୟନ୍ତା ଦାରୁବ୍ରହ୍ମ କାଳିଆ ଠାକୁର କୋଟି ଓଡିଆଙ୍କ ମଉଡ଼ମଣି। ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୁଷିତ ବ୍ରହ୍ମାଣ୍ଡ ଠାକୁର ଅପୂର୍ବ ଆଭାରେ ଆଖି ଝଲସି ଉଠୁଥିଲା। ସିଂହଦ୍ଵାର ନିକଟରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ଆଖି ଝଲସି ଉଠୁଥିଲା। ପୁରି ସହରର ଗଲିକନ୍ଦି ସବୁଠାରେ ଲୋକାରଣ୍ୟ ସବୁଠି ଶୁଭୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

 

ଏହି ଅଧର ପଣା (ଭୋଗ) ପ୍ରସ୍ତୁତି ପାଇଁ ନଅ ଗୋଟି ଦ୍ରବ୍ଯର ଆବଶ୍ୟକ ହୁଏ ଯଥା ଛେନା, ଛାଚି, ସର ,କଦଳୀ, କ୍ଷୀର ଗୋଲମରିଚ ଗୁଣ୍ଡ, କର୍ପୁର,ଜାଇଫଳ ସହ ପାଣି ଦରକାର ହୋଇଥାଏ। ପ୍ରତି ହାଣ୍ଡି ଉପରେ ଧଳା କରିଆ ବା ପତଳା ଧଳା କନା ପକାଇ ଦିଆଯାଏ। ସେହି ସମୟରେ ମହାପ୍ରଭୁଙ୍କ ଅଙ୍ଗର ସୁରକ୍ଷା ପାଇଁ ଭିତରଛୁ ମହାପାତ୍ର ସେବକ ମହାପ୍ରଭୁଙ୍କ ସମ୍ମୁଖରେ ଚାଦର ଦେଇ ଠିଆ ହୋଇ ରୁହନ୍ତି।ପ୍ରଭୁ ବଳଭଦ୍ର ଦେବଙ୍କ ଅଙ୍ଗର ସୁରକ୍ଷା ପାଇଁ ତଳିଛୁ ମହାପାତ୍ର ଓ ମା ସୁଭଦ୍ରାଙ୍କ ଅଙ୍ଗରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ ଦେଇଥାଆନ୍ତି। ରଥ ଶୋଧ ପାଇଁ ପ୍ରଥମରୁ ଟେରା ବନ୍ଧା ହୋଇଥାଏ। ଅଧର ପଣାର ପ୍ରସ୍ତୁତି ସମୟରେ କୌଣସି ସେବକ ଠାକୁର ମାନଙ୍କୁ ସ୍ପର୍ଶ କରନ୍ତି ନାହିଁ। ଶ୍ରୀଅଙ୍ଗ ସେବକ ଦଇତା ମାନେ ତଳକୁ ନ ଓହ୍ଲାଇ ଅଣ ଓଡିଆ ହୋଇଯାଆନ୍ତି। ପୂଜା ପଣ୍ଡା ମାନେ ତିନି ରଥରେ ପଞ୍ଚୋପଚାର ପୂଜା ବିଧିରେ ଏକ ସଙ୍ଗରେ ପୂଜା କରିଥାଆନ୍ତି। ବର୍ତ୍ତମାନ ଗୋଟିଏ ଦିନ ଅଧରପଣା କରାଯାଉଛି। ଆଗରୁ ପୁରୀର ରାଘବଦାସ ମଠ ଏବଂ ବଡ ଓଡିଆ ମଠ ଏବଂ ରାଜାଙ୍କ ତରଫରୁ ଦିନେ ଦିନେ ଅଧର ପଣା କରାଯାଏ। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ,ରାଘବଦାସ ମଠ ବଡ ଓଡିଆ ମଠ ଏବଂ ରାଜାଙ୍କ ପକ୍ଷରୁ ସମାନ ଭାବରେ ଭୋଗ ପ୍ରଦାନ କରିଥାଆନ୍ତି। ୧୩୦୧ ସାଲରୁ ରାଘବଦାସ ମଠ ୧୩୦୨ସାଲରୁ ବଡ ଓଡିଆ ମଠ ଏପର୍ଯ୍ୟନ୍ତ ସେବା କରୁଛନ୍ତି। 

ଅଧର ପଣା ନଅଗୋଟି ହାଣ୍ଡିରେ ହେବାର ଶୁଣା ଅଛି। ପ୍ରକୃତ ପକ୍ଷରେ ରଥରେ ତିନୋଟି ଲେଖାଏଁ ବଡ ପଣା ହାଣ୍ଡିରେ ଭୋଗ କରାଯାଏ। ବଳଭଦ୍ରଙ୍କ ରଥାରୂଢ ରାମ ଓ କୃଷ୍ଣଙ୍କ ନିମନ୍ତେ ଦୁଇଟି ଛୋଟ ହାଣ୍ଡି। ଶ୍ରୀଜଗନ୍ନାଥଙ୍କ ରଥ ଉପରେ ବିଜେ ପ୍ରତିମା ମଦନମୋହନଙ୍କ ପାଇଁ ଗୋଟିଏ ହାଣ୍ଡି। ପୂଜା ପରେ ପଣ୍ଡାମାନେ ରଥ ଉପରେ ଥିବା ସମସ୍ତ ହାଣ୍ଡି ମାନଙ୍କୁ ଭାଙ୍ଗି ଦିଅନ୍ତି। ପୁରୀ ସହରର ଲୋକ କଥା ଅନୁସାରେ। ରଥର ପାର୍ଶ୍ବଦେବତା ରଥ ନିକଟରେ ଥିବା ଚଣ୍ଡି ଚାମୁଣ୍ଡାଙ୍କୁ ସନ୍ତୋଷ କରିବା ପାଇଁ ଅଧର ପଣା ହାଣ୍ଡି ଭାଙ୍ଗି ଦିଆଯାଇଥାଏ। ଅଶରୀରୀ ପତିତ ମାନଙ୍କ ମୋକ୍ଷପ୍ରଦ ପାଇଁ ଭଙ୍ଗା ଯାଏ। ସେମାନେ ଏହି କୈଵଲ୍ୟ ରୂପି ପ୍ରସାଦ ଅଧରପଣାକୁ ପାଇ ମୋକ୍ଷପ୍ରାପ୍ତି ହୋଇଯାଆନ୍ତି ବୋଲି ବିଶ୍ଵାସ ଅଛି।

LEAVE A REPLY

Please enter your comment!
Please enter your name here