ଡି.ଏ.ଭି. କଲେଜ ଛାତ୍ରୀ ନିର୍ଯ୍ୟାତନା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ

0
42

ଟିଟିଲାଗଡ଼,୧୭/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ସ୍ଵୟଂଶାସିତ ଡି.ଏ.ଭି. କଲେଜର ଜଣେ ଛାତ୍ରୀଙ୍କୁ ଅଧ୍ୟାପିକା ଜଣକ ନିର୍ଯ୍ୟାତନା ଦେବା ଘଟଣାର ତଦନ୍ତ ପାଇ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଉମାଶଙ୍କର ଦାଶ ତାଙ୍କ ଅଧୀନସ୍ଥ କର୍ମଚାରୀ ସଞ୍ଜୀବ ସେଠଙ୍କ ସହ ଆସି ତଦନ୍ତ କରି ଫେରି ଯାଇଛନ୍ତି । ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଦାଶ କଲେଜ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଅଭିଯୋଗ ସମ୍ପର୍କୀତ ସମସ୍ତ ବିବରଣୀ, ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଓ କଲେଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଟିକିନିଖି ଦେଖିଥିଲେ । ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଦାଶ କଲେଜ ଅଧ୍ୟକ୍ଷ ଗୋବିନ୍ଦ ମେହେର, ସମ୍ପୃକ୍ତ ଅଧ୍ୟାପିକା ରୋଜାଲି ସେଠୀ, କଲେଜ କର୍ମଚାରୀ, ପିଡ଼ିତା ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ସହ ପୃଥକ ପୃଥକ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଟିମ୍ ସମ୍ମୁଖରେ ଛାତ୍ରୀ, ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ହୋଇ ନିଜ ପକ୍ଷ ରଖିଥିଲେ । ଏ ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଦାଶଙ୍କୁ ପଚାରିବାରୁ ଘଟଣାର ସମାଧାନ ହୋଇଯାଇଛି ବୋଲି କହିଥିଲେ । ୫ମାର୍କର ଆକସ୍ମିକ ପରୀକ୍ଷା ସମ୍ପର୍କରେ ଛାତ୍ରୀ ଜଣକ ଜାଣି ନଥଲା । ସେ ୱାଟସ୍‌ଆପ୍  ମେସେଜ ପାଇ ବଳମ୍ବରେ ପରୀକ୍ଷା ପାଇଁ ଆସିଥିବାରୁ ତାଙ୍କୁ ଅନୁମତି ଦିଆଯାଇ ନଥିଲା । ବର୍ତ୍ତମାନ ତାକୁ ଅନ୍ୟ ଏକ ଦିନରେ ସ୍ଵତନ୍ତ୍ର ଭାବେ ପରୀକ୍ଷା ଦେବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇଥ‌ିବାରୁ ସେ ଅଭିଯୋଗରୁ ଓହରି ଯାଇଛି ଓ ଏନେଇ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଲିଖିତ ରାଜିନାମା ମଧ୍ୟ ଦେଇଛି ବୋଲି କହିଛନ୍ତି । ଶେଷରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ବିଶେଷ ଭାବେ ଯତ୍ନବାନ ରହିବାକୁ ପରାମର୍ଶ ଦେଇ ଫେରି ଯାଇଥିଲେ । ଅଭିଯୋଗ ମତେ କଲେଜର ଜଣେ ବିଜ୍ଞାନ ଛାତ୍ରୀଙ୍କୁ ଜଣେ ଅଧ୍ୟାପିକା ସର୍ବସାଧାରଣରେ ଗାଲିଗୁଲଜ କରିବା, ବଳମ୍ବରେ ଆସିଥିବା କହି ପ୍ରାକ୍ଟିକାଲ ପରୀକ୍ଷାରୁ ବାରଣ କରି ପରୀକ୍ଷା ହଲ୍ ରୁ ତଡ଼ି ଦେବା, ଛାତ୍ରୀଙ୍କ ଅଭିଯୋଗ ଶୁଣି ନ୍ୟାୟ ଦେବା ପରିବର୍ତ୍ତେ ମାମଲାକୁ ଚପାଇଦେବା ପାଇଁ କଲେଜ କର୍ତ୍ତୃପକ୍ଷ ଉଦ୍ୟମ କରିବା ଇତ୍ୟାଦି ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here