ଟିଟିଲାଗଡ,୧୪/୩(ଇମିସ), ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ର ବ୍ୟାପକ କଳାବଜାର ହେଉଥିବା ନେଇ ଗଣମାଧ୍ୟମରେ ରେ ଖବର ପ୍ରକାଶିତ ହୋଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଆଳ କରି କିଛି ଅସାଧୁ ବେପାରୀ ଓ ଦଲାଲ ଏହି ବେଆଇନ୍ କାରବାର ଚଳାଇଥିବା ବେଳେ ଶନିବାର ଯୋଗାଣ ବିଭାଗ ଓ ସ୍ଥାନୀୟ ପୁଲିସ ପକ୍ଷରୁ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।ଯୋଗାଣ ନିରୀକ୍ଷକ ଚନ୍ଦ୍ର ଶେଖର ନାହାକ,ସହକାରୀ ନିରୀକ୍ଷକ ଗୋକୁଳଚନ୍ଦ୍ର ଭୋଇ,ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନାଧିକାରୀ ମନୋଜ ମୁଣ୍ଡା ପ୍ରମୁଖ ଚଢାଉ କରି ସ୍ଥାନୀୟ ରିସଭ ନଗର ସ୍ଥିତ ଅମିତ ଜୈନ ଙ୍କ ଘରୁ ୭ ଟି ଓ ବାବୁଲାଲ ଜୈନ ଙ୍କ ଗ୍ୟାସ ଚୁଲା ମରାମତି ଦୋକାନ ରୁ ବେଆଇନ ଭାବରେ ଗଚ୍ଛିତ ଥିବା ୪ ଟି ସିଲିଣ୍ଡର ଜବତ କରିଥିଲେ।ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।ଅପରପକ୍ଷରେ ସହର ମଧ୍ୟରେ ବିଭିନ୍ନ ହୋଟେଲ,ଚା ଦୋକାନ,ଜଳଖିଆ ଠେଲା ଓ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକ ରେ ବାଣିଜ୍ୟକ ସିଲିଣ୍ଡର ବଦଳରେ ଖୁଲମଖୁଲା ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉଥିବା ବେଳେ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ନ ଦେବା ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।


