ଦୁର୍ନୀତିର ଗନ୍ତାଘର ସାଜିଛି ସୁର୍ଡା ପଞ୍ଚାୟତ : ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଲୁଣ୍ଠନ ଅଭିଯୋଗ

0
97

ଟିଟିଲାଗଡ଼,୧୩/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଳକ ସୁର୍ଡା ପଞ୍ଚାୟତରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଅର୍ଥ ବାଟମାରଣା କରିବା ସହ ସରପଞ୍ଚ ମନମୁଖି ଚଲାଇଥବା ଅଭିଯୋଗ ହୋଇଛି । ଏନେଇ ଆଜି ସୁର୍ଡା ପଞ୍ଚାୟତର ସୁର୍ଡା ଗ୍ରାମର ହିତାଧକାରୀବୃନ୍ଦ ବିଡିଓ ଓ ଉପଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ସେମାନେ ପୃଥକ ଅଭିଯୋଗ କରିଛନ୍ତି ଯେ, ସୁର୍ଡା ପଞ୍ଚାୟତ ଅଧିନସ୍ଥ ସୁର୍ଡାଛକ, କାଦୋପଡ଼ା ଛକ, ମହଗାଁ ଛକ, ବେହେରାଭଟା ଛକ ଠାରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗତ ବର୍ଷ ରାହଗୀରଙ୍କ ଶୋଷ ମେଣ୍ଟାଇବା ନେଇ ୭୫ ଦିନ ପାଇଁ ଜଳଛତ୍ର ଖୋଲାଯାଇଥିଲା । ଦୈନିକ ମଜୁରୀ ୪୧୦ଟଙ୍କା ହିସାବରେ ୭୫ ଦିନର ମଜୁରୀ ୩୦ହଜାର ୭୫୦ଟଙ୍କା ହେଉଥିବା ବେଳେ ପଞ୍ଚୟତ ନିର୍ବାହୀ ଅଧୂକାରୀ ସିଦ୍ଧାର୍ଥ ମିଶ୍ର ଓ ସରପଞ୍ଚ ଚିନ୍ତାମଣି ସୁନା ଖାତାରେ ଟଙ୍କା ଦେବା ବଦଳରେ ନଗଦ ୧୫ହଜାର ଟଙ୍କା ଦେଇଥିଲେ । ବଳକା ଟଙ୍କା ମାଗିବାରୁ ଆଉ ଟଙ୍କାଟିଏ ମଧ୍ୟ ମିଲିବ ନାହିଁ ବୋଲି ରୋକ ଠୋକ କହିବା ସହ ଯାହା ପାଖରେ ଅଭିଯୋଗ କରିବାର ଅଛି କର ଆମର କିଛି ଯାଏ ଆସେ ନାହିଁ ବୋଲି କହିଥିବା ଖଗେଶ୍ଵର ଭୋଇ, ଅଗସ୍ତି ବଗର୍ତ୍ତୀ, କତିଷ୍କର ମାଝୀ ଓ ଗୌରହରି ନାଗ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ ଆଦେଶ ପାଇଥିବା ସୁର୍ଡା ଗ୍ରାମର ହିତାଧକାରୀ ମହେନ୍ଦ୍ର ମାଝୀ, ରୋହିତ ମାଝୀ, ଗଜିନ୍ଦୁ ବଗର୍ତ୍ତୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ୨୦୨୩– ୨୦୨୪ରେ ଆବାସ ନିର୍ମାଣ ପାଇଁ ଆଦେଶ ପାଇଥିଲେ । ସମୟସୀମା ମଧ୍ୟରେ ଘର ନିର୍ମାଣ କରିଥିଲେ । ଘର ନିର୍ମାଣ ବାବଦ ୧ଲକ୍ଷ ୩୦ ହଜାର ଟଙ୍କା ତାଙ୍କ ଖାତାକୁ ଆସିଛି । ହେଲେ ଶ୍ରମିକଙ୍କ ୮୮ଦିନର ମଜୁରୀ ବାବଦ ଟଙ୍କା ଆମ ଖାତାକୁ ଆସି ନାହିଁ । ଏ ସମ୍ପର୍କରେ ଜିଆରଏସ୍ ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ତୁମମାନଙ୍କ ଟଙ୍କାଦେବା ସରିଗଲାଣି, ଆଉ କିଛି ଟଙ୍କା ବାକି ନାହିଁ ବୋଲି କହିଥିଲେ । ଅନ୍ୟପଟେ ଜିଆରଏସ୍ ଓ ସରପଞ୍ଚ ମିଶି ଜାଲ ମେନଡେଟ ପ୍ରସ୍ତୁତ କରି ଉକ୍ତ ଟଙ୍କା ଆତ୍ମସାତ କରିଥିବା ତଥା ଉକ୍ତ ମେଡେଟରେ ସରପଞ୍ଚଙ୍କ ମା ଓ ବାପାଙ୍କ ନାମ ରହିଥିବା ଅଭିଯୋଗ କରିଛନ୍ତି । ପ୍ରଥମେ ହିତାଧିକାରୀ ଓ ତାଙ୍କ ସମ୍ପକୀୟ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ତେବେ ଉପଜିଲ୍ଲାପାଳ ଉପସ୍ଥିତ ନଥବାରୁ ସେମାନେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକରଙ୍କୁ ପୃଥକ ଅଭିଯୋଗ ପତ୍ର ଦେଇଥିଲେ । ଅଭିଯୋଗ ପତ୍ର ଗ୍ରହଣ କରି ଶ୍ରୀ ଚନ୍ଦ୍ରାକର ତଦନ୍ତ କରି କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଅଭିଯୋଗକାରୀ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ ସୁଶାନ୍ତ ରଣାଙ୍କୁ ସାକ୍ଷାତ କରି ପୃଥକ ଅଭିଯୋଗ ପତ୍ର ଦେଇଥିବା ବେଳେ ସେ ତାଙ୍କ କଥା ନଶୁଣି କାର୍ଯ୍ୟାଳୟରୁ ଚାଲି ଯିବାକୁ କହିଥିଲେ । ଏ ସମ୍ପର୍କରେ ବିଡିଓ ଶ୍ରୀ ରଣାଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗ ପାଇ ତାଙ୍କୁ ଚାଲିଯିବାକୁ କହି ନାହିଁ ବରଂ ତାଙ୍କ କଥା ଶୁଣି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here