ସ୍ୱରାଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗକୁ ହସ୍ପିଟାଲ କତ୍ତୃପକ୍ଷଙ୍କ ଖଣ୍ଡନ

0
83

ବଲାଙ୍ଗିର୧୯/୬ (ଜେଏନ୍ଏସ୍),ବଲାଙ୍ଗିର ଲାଲଟିକ୍ରା ଠାରେ ଥିବା ସ୍ୱରାଜ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ସଦସ୍ୟ ଉକ୍ତ ଡାକ୍ତରଖାନା ବିରୁଦ୍ଧରେ ଶବଧରି ରାତିରେ ଆନ୍ଦୋଳନ କରିବା ସହିତ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ପାଟଣାଗଡ଼ର ଶ୍ରଦ୍ଧାଞ୍ଜଳି ମହାନନ୍ଦ ନାମ୍ନୀ ଜଣେ ଗର୍ଭବତୀ ଗତ ୧୨ ତାରିଖରେ ପ୍ରସବ ପାଇଁ ବଲାଙ୍ଗିର ଲାଲଟିକ୍ରାସ୍ଥିତ ସ୍ୱରାଜ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କର ଅତ୍ୟଧିକ ରକ୍ତଚାପ ରହିଥିଲା । ସେଥିପାଇଁ ସେହି ଦିନ ହିଁ ତାଙ୍କର ସିଜରିଆନ ଅପରେସନ କରାଯାଇ ପ୍ରସବ କରାଯାଇଥିଲା । କିନ୍ତୁ ପରଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ସେତେବେଳେ ରୋଗୀର ହୃଦରୋହ ଥିବା ସନ୍ଦେହ କରାଯାଉଥିବା ହସପିଟାଲ କତ୍ତୃପକ୍ଷ କୁଆଡ଼େ କହିଥିଲେ । କିନ୍ତୁ ପରେ ପରେ ଶ୍ରଦ୍ଧାଞ୍ଜଳିଙ୍କ ସ୍ଥିତିରେ କୌଣସି ଉନ୍ନତି ନହୋଇ ବରଂ ଆହୁରି ବିଗିଡିବାରେ ଲାଗିଥିଲା । ଶେଷରେ ୧୭ ତାରିଖରେ ତାଙ୍କୁ ଅନ୍ୟତ୍ର ନେଇ ଚିକିତ୍ସା କରାଇବାକୁ ରେଫର କରି ଦିଆଗଲା । ସେହି ସମୟରେ ରୋଗୀର ଚେତା ନଥିଲା । ରୋଗୀର ପରିଜନ ବରଗଡ ବିକାଶ ହସପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରିକି ବହୁ ସମୟ ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ହୋଇ ସାରିଥିବା ନେଇ କହିଥିଲେ । ତେବେ ପରିବାର ଲୋକ ଶ୍ରଦ୍ଧାଞ୍ଜଳିଙ୍କ ଶବକୁ ଆଣି ସ୍ୱରାଜ ହସ୍ପିଟାଲ ସମ୍ମୁଖରେ ରଖି ବିକ୍ଷୋଭ କରିଥିଲେ । ସ୍ୱରାଜ ହସ୍ପିଟାଲରେ ହିଁ ଚିକିତ୍ସାରେ ଅବହେଳା କରାଯାଇଥିବା କାରଣରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଥିଲା । ଘଟଣାର ସୂଚନାପାଇ ଟାଉନଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ସଦସ୍ୟ ଦାବୀ କରିଥିଲେ । ଘଟଣାକୁ ନେଇ ଟାଉନଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅପରପକ୍ଷରେ ଅଭିଯୋଗକୁ ଡାକ୍ତରଖାନା କତ୍ତୃପକ୍ଷ ଖଣ୍ଡନ କରିବା ସହ ଅତ୍ୟଧିକ ରକ୍ତଚାପ ଯୋଗୁଁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଏବଂ ରେଫର ସମୟରେ ରୋଗୀ ଜୀବିତ ଥିବା ଡ.ସୁଜ୍ଞାନ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here