କର୍ଯ୍ୟାରତ ସାମ୍ବାଦିକଙ୍କୁ ଟାଟା ପାୱାର ଅଧିକାରୀଙ୍କ ଆକ୍ରମଣ ; ଠିକାଦାରଙ୍କ ପକ୍ଷରୁ ଆପ୍ୟାୟିତ ହେଉଥିଲେ ଅଧିକାରୀ

0
58

ଟିଟିଲାଗଡ଼,୦୯/୦୧/୨୦୨୫,(ଜେଏନ୍ଏସ୍),କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ରାଜ୍ୟରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟରତ ୩ ଜଣ ସାମ୍ବାଦିକଙ୍କୁ ଟାଟା ପାୱାର ଅଧିକାରୀ ନିସ୍ତୁକ ମାଡ଼ମାରିବା ଭଳି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସାଲେଡିଗିରି ଗ୍ରାମରେ ଘର ଛାତ ଢାଳିବା ବେଳେ  ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ଉଛବ ପୋଢ଼ (୨୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ମକରନ୍ଦ ପୋଢ଼ ଗୁରୁତର ହୋଇଥିଲେ । ଘଟଣା ସମ୍ଵନ୍ଧରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକମାନେ ଟାଟା ପାୱାର ଅଫିସକୁ ଯାଇଥିବାବେଳେ ଅଧିକାରୀ ଓ କର୍ମଚାରୀ ମାନେ ଖୋଲାନ ଗ୍ରାମର ଏକ ଆମ୍ବ ବଗିଚାରେ ଭୋଜି କରୁଥିବା ଜାଣିବାକୁ ପାଇଥିଲେ। ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ଦେଖି ମଦ ନିଶାରେ ମାତାଲ ଥିବା ଅଧିକାରୀମାନେ ଉତ୍ତେଜିତ ହୋଇ ସାମ୍ବାଦିକ ସଞ୍ଜୟ ବେହେରା, ଅଭିନାଶ ନନ୍ଦ ଓ ତରୁଣ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। କଣ୍ଟାବାଞ୍ଜି ଏସ୍. ଡି. ଓ. ଜଗନ୍ନାଥ ପତି ମଦ ନିଶାରେ ଚୁର ହୋଇ ସାମ୍ବାଦିକଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି ।

ତେବେ ବୁଧବାର ଏକ କାର୍ଯ୍ୟ ଦିବସ ଥିବାବେଳେ ଅଧିକାରୀ ଓ କର୍ମଚାରୀମାନେ କିଭଳି ଭୋଜି ଆସର ଜମାଇଥିଲେ ତାହା ତଦନ୍ତ ସାପେକ୍ଷ୍ୟ । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଟାଟା ପାୱାର ପକ୍ଷରୁ ଟିଟିଲାଗଡ଼, ପାଟଣାଗଡ଼ ଓ କଣ୍ଟାବାଞ୍ଜି ଅନ୍ତର୍ଗତ ମେଣ୍ଟେନେନ୍ସ ପାଇଁ ମାସକୁ ୩ କୋଟି ଟଙ୍କା ଚୁକ୍ତିରେ ଢେଙ୍କାନାଳର ଶୁଭେନ୍ଦୁ ଦାସ ଓ ଖରିଆରର ଅଭିଷେକ ଅଗ୍ରୱାଲ ନାମକ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି । ନୂଆବର୍ଷ ଉପଲକ୍ଷେ ଏହି ଠିକାଦାରଙ୍କ ପକ୍ଷରୁ ଡିଭିଜନ ଅନ୍ତର୍ଗତ ଅଧିକାରୀ ଓ କିଛି କର୍ମଚାରୀଙ୍କୁ ଏଠାରେ ଆପ୍ୟାୟିତ  କରାଯାଉଥିଲା । ଟାଟା ପାୱାରର ଭିଜିଲାନ୍ସ ଇଞ୍ଜିନିୟର ହିମାଂଶୁ ସାମନ୍ତରାୟ, ମୁରିବାହାଲ ଯନ୍ତ୍ରୀ ଚିନ୍ମୟ ସାହୁ, କଣ୍ଟାବାଞ୍ଜି ଏସ୍.ଡି.ଓ. ଜଗନ୍ନାଥ ପତି, ତୁରେକେଲା ଯନ୍ତ୍ରୀ, ଟିଟିଲାଗଡ଼ ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କ ସହ ବହୁ ଅଧିକାରୀ ଓ କର୍ମଚାରୀ ଏଠାରେ ଯୋଗଦେଇଥିଲେ । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିବା ବେଳେ ପୁଲିସ ୨ ଜଣକୁ ଅଟକ ରଖିଛି। ତେବେ ମଦ ନିଶାରେ ଥିବା ଅଧିକାରୀଙ୍କୁ ତୁରନ୍ତ ମେଡିକାଲ ଯାଞ୍ଚ ନ କରି ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ସରକାରଙ୍କ ଠାରେ ବାରମ୍ବାର ଦାବୀ ଉପସ୍ଥାପନା ହେଉଥିବା ବେଳେ ସରକାର ଏଥିପ୍ରତି ଗୁରୁତ୍ଵ ନ ଦେବା ଯୋଗୁଁ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

LEAVE A REPLY

Please enter your comment!
Please enter your name here