ତତଲାଗଡ଼ ପାଲଟିଛି ଟିଟିଲାଗଡ଼ ୪୪ ଡିଗ୍ରୀରେ ପାରଦ

0
62

ଟିଟିଲାଗଡ଼,୨୩/୦୪/୨୦୨୫(ଜେଏନ୍ଏସ୍),ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହର ତାର ପରିଚୟ ବଜାୟ ରଖିଛି । ସପ୍ତାହରୁ ଉର୍ଦ୍ଧ୍ଵ ହେବ ସହରର ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହ ଅଗ୍ନିବର୍ଷା ହେଉଛି । ସକାଳ ୯ଟାରୁ ଅସହ୍ୟ ତାତି ଆରମ୍ଭ ହୋଇ ୧୨ଟା ବେଳକୁ ସ୍ଥିତି ଜଟିଳ ହୋଇ ପଡୁଛି । ମଙ୍ଗଳବାର ସହରର ସର୍ବନିମ୍ନ ତାପମାତ୍ରା ୩୦.୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସାଢେ଼ ୯ଟାରେ ୪୨ଡିଗ୍ରୀ ହୋଇ ସର୍ବାଧିକ ୪୪ ଡିଗ୍ରୀକୁ ପହଞ୍ଚିଛି । ପ୍ରବଳ ତାତି ଓ ଗୁଳୁଗୁଳି ଯୋଗୁଁ ଘରୁ ପଦାକୁ ବାହାରିବା କାଠିକର ହୋଇପଡ଼ିଥିବା ବେଳେ ଦିନ ୧୧ ଟା ପରେ ସହରରେ ଅଘୋଷିତ କର୍ଫ୍ୟୁ ଦେଖାଯାଉଛି ।

ଗ୍ରୀଷ୍ମରେ ବିଦ୍ୟୁତକାଟ୍ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଓ ସରକାର ଡିଣ୍ଡିମ ପିଟିଥିବା ବେଳେ ଘନଘନ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ଯନ୍ତ୍ରଣାକୁ ଆହୁରି ବୃଦ୍ଧି କରିଛି । ସରକାରୀ ସ୍ତରରେ ସହରର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବେସରକାରୀ ଭାବେ ଏହା ୪୭ଡିଗ୍ରୀ ରହିଥିବା ଜଣାଯାଇଛି । ତାପମାପକ ଯନ୍ତ୍ରକୁ ଉପ୍ଲଯୁକ୍ତ ସ୍ଥାନରେ ସ୍ଥାପିତ କରିବା ସହ ଡିଜିଟାଲ କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ଆଞ୍ଚଳିକ ପାଣିପାଗ ବିଭାଗ ନିଦାବିଷ୍ଣୁ ପାଲଟିଛି । ନଣ୍ଡା ପାହାଡ଼ ପରିବେଷ୍ଟିତ ଟିଟିଲାଗଡ଼ ସହରରେ ପ୍ରବଳ ଖରାର ପ୍ରାଦୁର୍ଭାବ ସକାଳୁ ଆରମ୍ଭ ହେଉଥିବାବେଳେ ପାହାଡ଼ର ବିକିରଣ ଯୋଗୁଁ ବିଳମ୍ବିତ ରାତ୍ରି ଯାଏ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳୁଛି । ପାଣିପାଗ ବିଭାଗ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିବା ଏବଂ ଅତି ଜରୁରୀ କାମ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । 

LEAVE A REPLY

Please enter your comment!
Please enter your name here