ଟିଟିଲାଗଡ଼,୧୨/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟରତ ମୀତା ବେହେରାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିଜନଙ୍କ ଦ୍ଵାରା ରାସ୍ତାରୋକ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ସ୍ଵାଧୀନପଡ଼ା ନିବାସୀ ମିତା ବେହେରାଙ୍କ ୨ ଦିନ ତଳେ ହାତ ଭାଙ୍ଗି ଯାଇଥିବା ବେଳେ ସେ ଅସ୍ଥିଶଲ୍ୟ ଚିକିତ୍ସା ପାଇଁ ସହର ମଧ୍ୟରେ ଥିବା ଘରୋଇ କ୍ଲିନିକ “ଜୀବନ ଜ୍ୟୋତି ନର୍ସିଂ ହୋମ” ରେ ୧୧ ତାରିଖରେ ଭର୍ତ୍ତି ହୋଇଥିଲେ । ସେଠାରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଦ୍ଵାରା ତାଙ୍କ ଅପରେସନ କରାଯାଇଥିଲା । ତେବେ ଅପରେସନ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଦେଖି ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମିତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଓ କ୍ଷତିପୂରଣ ଦାବୀ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଶବ ରଖି ରାସ୍ତାରୋକ କରାଯାଇଥିଲା । ଘଟଣାକୁ ନେଇ ମୃତକଙ୍କ ବଡ଼ଭାଇ ସନ୍ତୋଷ ବେହେରା ଓ ସ୍ଵାଧୀନ ପଡ଼ା ଯୁବଗୋଷ୍ଠୀ ପୃଥକ ପୃଥକ ଭାବରେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଥାନାରେ ମୃତକଙ୍କ ପରିଜନ ଓ ସମ୍ପୃକ୍ତ ଘରୋଇ କ୍ଲିନିକ୍ ମାଲିକଙ୍କ ମଧ୍ୟରେ ବୁଝାମଣା ହେବାସହ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ପ୍ରତିଶୁତି ପରେ ରାସ୍ତାରୋକ ହଟିଥିଲା । ଘଟଣାକୁ ନେଇ ନର୍ସିଂ ହୋମ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ମୋହନ ଲାଲ ଜୈନଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ରୋଗୀ ଅସ୍ତ୍ରପ୍ରଚାର ପୂର୍ବରୁ ପଇଡ ପାଣି ପିଇଥିବା ଓ ଡାକ୍ତରଙ୍କୁ ଜଣାଇ ନ ଥିବା ଯୋଗୁଁ ଗୁରୁତର ହୋଇଥିବା କହିଥିଲେ ।ପ୍ରକାଶଯୋଗ୍ୟ ସେ ମୃତ ମହିଳା ଜଣକ ସ୍ଵାମୀ ପରିତ୍ୟକ୍ତା ହୋଇଥିବା ଓ ତାଙ୍କ ଏକ ୧୬ ବର୍ଷର ଝିଅ ଥିବା ବେଳେ ତାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ଜଣାପଡ଼ିଛି ।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.