ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଲା ମହାଦୀପ ; ଟିଟିଲାଗଡ ମହାଶିବରାତ୍ରି ମେଳା ଆରମ୍ଭ ।

0
91

ଟିଟିଲାଗଡ଼,୨୭/୦୨/୨୦୨୫,(ଜେଏନ୍ଏସ୍) ମହାଶିବରାତ୍ରୀ ଅବସରରେ ଧବଳେଶ୍ଵର ମହାପ୍ରଭୁଙ୍କ ଜାଗର ମହାଦୀପ ଅସଂଖ୍ୟ ଭକ୍ତଙ୍କ ଗହଣରେ ଉଠିଛି । ଏଥିସହ ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରୀ ମେଳା କୁମୁଡ଼ା ପାହାଡ଼ ଗୁମ୍ଫା ସ୍ଥିତ ଧବଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି । ମଙ୍ଗଳବାର ଅଧିବାସ ସମ୍ପନ୍ନ ହେବା ପରେ ବୁଧବାର ୪୦ ପ୍ରହର ନାମଯଜ୍ଞ ଶୁଭାରମ୍ଭ ହୋଇଛି । ମହାଶିବରାତ୍ରି ଅବସରରେ ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଛି । ମନ୍ଦିର ନିକଟରୁ ଦେଓଵନ୍ଧ ପୋଖରୀରେ ବୁଡ଼ ପକାଇ ମହାଦେବଙ୍କୁ ଜଳାଭିଷେକ ପାଇଁ ହଜାର ହଜାର ଭକ୍ତମାନଙ୍କ ଲମ୍ୱା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ମନ୍ଦିର ପ୍ରାଙ୍ଗଣରେ ଭଜନ ସଙ୍କୀର୍ତ୍ତନ ସାଙ୍ଗକୁ ନାମଯଜ୍ଞ, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମହାଦୀପ ଦର୍ଶନ କରିବା ପାଇଁ କୁମୁଡ଼ା ପାହାଡ଼ ଉପରେ ପ୍ରବଳ ଭିଡ଼ ଜମିଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପବାସ ରହି ନିଜନିଜ ମନୋସ୍କାମନା ପୁରଣ ପାଇଁ ଉପବାସ ରହି ଜାଗର ଦୀପ ଜାଳି ବସି ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ମେଳାକୁ ଆହୁରି ଆକର୍ଷଣୀୟ କରାଯାଇଛି । ମେଳାର ଆକର୍ଷଣୀୟ ସାଜସଜ୍ଜା ସହ ସପ୍ତରଙ୍ଗ ଆଲୋକ ମାଲାରେ ମନ୍ଦିର ଝଲସି ଉଠିଛି ଓ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କ ଗହଳି ଯୋଗୁଁ ମେଳା ପ୍ରାଙ୍ଗଣ ଉତ୍ସବମୁଖର ହେବାସହ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଟ୍ରଷ୍ଟବୋର୍ଡ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିପରି ଆଇନ ଶ୍ରୁଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ମେଳା ଆସନ୍ତା ୩ ତାରିଖରେ ଉଦଯାପିତ ହେବ । ସ୍ଥାନୀୟ ବିଧାୟକଙ୍କ ସହ ଉପଜିଲ୍ଲାପାଳ ରେହାନ ଖତ୍ରୀ, ବିଡିଓ ଚନ୍ଦ୍ରମଣି ନାଗ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଟ୍ରଷ୍ଟ ବୋର୍ଡ ସଭ୍ୟ ଭବାନୀ ପ୍ରସାଦ ହୋତା ଓ ସଞ୍ଜୀବ ପାଢ଼ୀ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ମେଳାର ସଫଳତା ପାଇଁ ସକ୍ରିୟ ଥିବା ଦେଖାଯାଇଛି । 

LEAVE A REPLY

Please enter your comment!
Please enter your name here