ଆଧୁନିକ ସହର ହେବ ବଲାଙ୍ଗିର

0
130

ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ବଲାଙ୍ଗିର ସହରକୁ ଆଧୁନିକୀକରଣ କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ଓ ଏନେଇ ଏକ ଘରୋଇସଂସ୍ଥାକୁ ମାଷ୍ଟରପ୍ଲାନ କରିବାକୁ ଦାୟୀତ୍ୱ ଦିଆଯାଇଛି ବୋଲି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଡ.ପାତ୍ର ଉତ୍ତର ରଖି କହିଛନ୍ତି ଯେ, ଐତିହାସିକ ବଲାଙ୍ଗିର ସହରକୁ ଯୋଜନାବଦ୍ଧ ଭାବରେ ଏକ ଆଧୁନିକ ସହରରେ ପରିଣତ କରିବାକୁ ବଲାଙ୍ଗିର ପ୍ଲାନିଂ ଅଥୋରିଟି ଓ ଦିଲ୍ଲୀର ଏନଏଫ ଇନଫ୍ରାଟେକ ପ୍ରାଇଭେଟ ଲିଃ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ହୋଇଛି । ଗତ ୨୪.୭.୨୦୧୫ ମସିହାରେ ଏହି ଚୁକ୍ତି ହୋଇଛି । ସେହି ସଂସ୍ଥା ଜିଓଗ୍ରାଫିକାଲ ଇନଫର୍ମେସନ ସିଷ୍ଟମ ବେସ୍‌ଡ ଡ୍ରାଫ୍ଟମାଷ୍ଟର ପ୍ଲାନ ତିଆରି କରୁଥିବା ଏବଂ ଏଥିରେ ବଲାଙ୍ଗିର ଆଖପାଖର ପ୍ରାୟ ୨୭ଟି ଗ୍ରାମକୁ ମଧ୍ୟ ସର୍ଭେମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କଠାରୁ ଆପତ୍ତି ଅଭିଯୋଗ ଶୁଣାଣି ମଧ୍ୟ ଶେଷ ହୋଇଛି । ଆପତ୍ତି ଅଭିଯୋଗକୁ ତର୍ଜମା କରି ଫାଇନାଲ ମାଷ୍ଟରପ୍ଲାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବିଧାନସଭାରେ ଶ୍ରୀ ସିଂଦେଓ ପ୍ରବାସୀଶ୍ରମିକ, ବଲାଙ୍ଗୀର ଇକୋଟୁରିଜମ, ବଲାଙ୍ଗୀର ଜିଲ୍ଲାରେ ଦୁଗ୍ଧଉତ୍ପାଦନ ପରିମାଣ, ଲଘୁଖଣିଜ ସମ୍ପଦରୁ ଆଦାୟ ହୋଇଥିବା ରାଜସ୍ୱ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ । ଠିକ ସେହିପରି ବଲାଙ୍ଗିର ଜିଲ୍ଲାର ନଦୀମାନଙ୍କରେ ନିର୍ମାଣ ହେବାକୁଥିବା ଭୂତଳ ଜଳସଂରକ୍ଷଣ କେନ୍ଦ୍ରର ଅଗ୍ରଗତୀ ସମ୍ପର୍କରେ ମଧ୍ୟ କଳିକେଶ ପ୍ରଶ୍ନ କରିଛନ୍ତି । ଜଳସେଚନ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରରଖି କହିଛନ୍ତି ଯେ, ତେଲନଦୀର କୁକେଡମାଲ ଆଇଏସଏସ, ଉନ୍ଦେରନଦୀରେ ପଥର୍ଲା ଆଇଏସଏସ, ଲାନ୍ଥନଦୀରେ ତୁଷ୍ଠାପାଲିର ଆଇଏସଏସ ଟେଣ୍ଟର ପ୍ରୋସେସରେ ଥିବା କହିବା ସହିତ ସୋନଗଡ଼ ନଦୀରେ ସିଲେଟକାନୀ ଆଇଏସଏସ, ଅଙ୍ଗନଦୀରେ କୁଟାସିଂହା ଆଇଏସଏସ ସର୍ଭେ ଓ ଇନଭେଷ୍ଟିଗେସନ ଷ୍ଟେଜରେ ରହିଛି । ଠିକସେହିପରି କଟଙ୍ଗୀନାଳା, ଅପରଲାନ୍ଥ, ଲୋୟରଲାନ୍ଥ (ଡେଙ୍ଗ), ଉନ୍ଦେର(ସିନ୍ଧେକେଲା), ଲୋୟରଲାନ୍ଥ ବ୍ୟାରେଜ ଇତ୍ୟାଦି ପ୍ରକଲ୍ପପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଏହା ସହିତ ପଥର୍ଲା ଆଇଏସଏସରୁ ବିନେକେଲାଠାରେ ଓ ସିକୁଆଁଠାରେ ମଧ୍ୟ ମେଗା ଉଠାଜଳସେଚନ ପ୍ରକଲ୍ପର ଟେଣ୍ଡର ପ୍ରୋସେସ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍ତର ଦେଇଛନ୍ତି ।  

LEAVE A REPLY

Please enter your comment!
Please enter your name here