ଶିକ୍ଷକଙ୍କ ବଦଳି ପ୍ରତିବାଦରେ ୩ ଦିନ ଧରି ସ୍କୁଲରେ ତାଲା

0
110

ସଇଁତଳା,୩୦/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ, କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ ୩ ଦିନ ଧରି ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ସ୍କୁଲ ପରିଚାଳନା କମିଟି ଓ ଅଭିଭାବକଙ୍କ ତରଫରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏହାର ତୃତୀୟ ଦିନରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସିଆରସିସି ମନ୍ଦର ଦୀପ, ଶମ୍ଭୁ ପ୍ରସାଦ ନାଏକ, ଜୟ ଶଙ୍କର ଶତପଥି ଓ ବରିଷ୍ଠ କିରାଣୀ ଅଶୋକ ସାମନ୍ତରାୟ ପ୍ରମୁଖ ସ୍କୁଲରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ । ସଂପୃକ୍ତ ଶିକ୍ଷକଙ୍କୁ ସ୍କୁଲରେ ପୁନଃଅବସ୍ଥାପିତ କରା ନ ଯିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଖୋଲାଯିବ ନାହିଁ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନ ଶିକ୍ଷକ ସମେତ ୩ ଜଣ ଶିକ୍ଷକ ରହିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ଥିବା ବିଜ୍ଞାନ ଶିକ୍ଷକ ବିଜୟ ସୁନାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ଗତ ୩ ଦିନ ହେଲା ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ଏନେଇ ପୂର୍ଵରୁ ପରିଚାଳନା କମିଟି ତରଫରୁ ବ୍ଲକ ଶିକ୍ଷା ବିଭାଗଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୋଣସି ପ୍ରକାଶ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଶୋବନ୍ତ ପଧାନ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ମଛିନ୍ଦ୍ର ନନ୍ଦ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡି ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଘଟଣାକୁ ନେଇ ବିଇଓ ଶ୍ରୀ ଭୋଇଙ୍କୁ ପଚାରିବାରୁ ଏ ପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ଏବଂ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ୩ ଦିନ ଧରି ସ୍କୁଲରେ ତାଲା ଝୁଲିବା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here