ଟିଟିଲାଗଡ଼ ରେଳଷ୍ଟେସନରେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ରେଳ ପ୍ରବନ୍ଧକଙ୍କୁ ବିଧାୟକଙ୍କ ଦାବୀ

0
222

ଟିଟିଲାଗଡ଼,୨୬/୬(ଜେଏନ୍ଏସ୍), ପୂର୍ବତଟ ରେଳବାଇ ପ୍ରବନ୍ଧକ ଶ୍ରୀ ପରମେଶ୍ଵର ଫଙ୍କୱାଲ ବୁଧବାର ବିଭାଗୀୟ ଟିଟିଲାଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସ୍ଥାନୀୟ ଷ୍ଟେସନ ପରିସରରେ ବିଭିନ୍ନ ମୌଳିକ ସୁବିଧା ଉପଲବ୍ଧ କରାଇବା ନେଇ ଶ୍ରୀ ଫଙ୍କୱାଲଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ରାଜ୍ୟର ଏକ ପ୍ରମୁଖ ଜଙ୍କସନ୍ ଭାବରେ ଟିଟିଲାଗଡ଼ର ବେଶ ଖ୍ୟାତି ରହିଛି । ଏହି ରେଳଷ୍ଟେସନ ଦେଇ ଦୈନିକ ଶତାଧିକ ମାଲବାହୀ ଟ୍ରେନ ସହ ଯାତ୍ରୀବାହି ଟ୍ରେନ ଚଳାଚଳ କରିଥାଏ । ରାୟପୁର -ବିଶାଖାପାଟଣା ଓ କୋଲକାତାର ଏକ ପ୍ରମୁଖ ସଂଯୋଗ ସ୍ଥଳୀ ଭାବରେ ଏହି ଷ୍ଟେସନ ପରିଗଣିତ ।  ବ୍ୟସ୍ତବହୁଳ ଜଙ୍କସନ୍ ହୋଇଥିବା ଯୋଗୁଁ ଇତି ମଧ୍ୟରେ ରେଳ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟେସନର ଉନ୍ନତି କରଣ କରିବା ସହ ନବକଳେବର କରିଛି । ପୂର୍ବରୁ ଏଠାରେ ୩ ଟି ପ୍ଲାଟଫର୍ମ ଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୫ ରେ ପହଞ୍ଚିଛି । ସୂଚନା ଥାଉ କି, ସହରର ସଂଖ୍ୟାଧିକ ବାସିନ୍ଦା ପୂର୍ବ ପଟରେ ବସବାସ କରୁଥିବାରୁ ସାଧାରଣତଃ ପୂର୍ବପଟ ତଥା ଷ୍ଟେସନର ମୁଖ୍ୟ ପ୍ରବେଶ ଦ୍ଵାର ଦେଇ ଯାତ୍ରୀମାନେ ଷ୍ଟେସନ ମଧ୍ୟକୁ ଯାଇଥାନ୍ତି । ମୁଖ୍ୟ ପ୍ରବେଶ ପଥ ସହ ୧ ନଂ ପ୍ଲାଟଫର୍ମ ଓ ଟିକେଟ କାଉଣ୍ଟର ସଂଲଗ୍ନ ଥିବା ଯୋଗୁଁ ଏହା ଟ୍ରେନଯାତ୍ରୀଙ୍କୁ ବେଶ ସହାୟକ ହୋଇଥାଏ । ବହୁ ସମୟରେ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ୧ ନଂ ପ୍ଲାଟଫର୍ମରେ ମାଲ ଗାଡ଼ି ଦୀର୍ଘ ସମୟ ଧରି ରହୁଥିବାରୁ ଷ୍ଟେସନ ପରିଚାଳକ ଯାତ୍ରୀବାହି ଟ୍ରେନଗୁଡ଼ିକୁ ୩, ୪ ଓ ୫ ନଂ ପ୍ଲାଟଫର୍ମରେ ପ୍ରବେଶ କରାଇଥାନ୍ତି । ତେବେ ଏଠାରେ ଲିଫ୍ଟର ବ୍ୟବସ୍ଥା ଏଯାବତ୍ ହୋଇନଥିବା ଯୋଗୁଁ ଦିବ୍ୟାଙ୍ଗ ଓ ବୟସ୍କ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥାଏ । ଏଠାରେ ଲିଫ୍ଟ ସୁବିଧା ଉପଲବ୍ଧ କରାଇବା, ଏଥିସହ ଦୀର୍ଘଦିନରୁ ବନ୍ଦ ପଡ଼ିଥିବା ଓ ଷ୍ଟେସନ ମଧ୍ୟରେ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ପୁରୁଣା ଓଭର ବ୍ରିଜକୁ ମରାମତି କରି ଶୀଘ୍ର କାର୍ଯ୍ୟକ୍ଷମ କରିବା, ପ୍ଲାଟଫର୍ମ ନଂ ୧ ରେ ଯାତ୍ରୀଙ୍କ ପାଇଁ ସର୍ବସାଧାରଣ ପ୍ରତୀକ୍ଷା ଘର ନିର୍ମାଣ କରିବା, ଷ୍ଟେସନ ପରିସରରେ ଅଟୋ ରିକ୍ସା ପାର୍କିଂ ବ୍ୟବସ୍ଥା କରିବା, ୪ ଓ ୫ନଂ ଷ୍ଟେସନ ପରିସରରେ ନିର୍ମିତ ଟିକେଟ ବୁକିଂ କାଉଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ କରିବା ଏବଂ ଟିଟିଲାଗଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବୀ ସେଣ୍ଟ୍ରାଲ ସ୍କୁଲ ଶୀଘ୍ର ଆରମ୍ଭ କରିବା ଆଦି ସମ୍ମିଳିତ ପ୍ରମୁଖ ଦାବୀକୁ ନେଇ ବିଧାୟକ ଶ୍ରୀ ଜୈନ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ଦାବୀ ପତ୍ର ପ୍ରଦାନ ସମୟରେ ବିଧାୟକଙ୍କ ସହ ସ୍ଥାନୀୟ ବିଭିନ୍ନ ସାମାଜିକ ସଙ୍ଗଠନର ପ୍ରତିନିଧି, ବିଜେଡି ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ବଣିକ ସଂଘ ସଭାପତି ଶମ୍ଭୁ ଗୋୟଲ୍, ପଞ୍ଚାୟତ ଧର୍ମଶାଳା ସଭାପତି ରିଙ୍କୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here