ଟିଟିଲାଗଡ଼ରେ ଅବ୍ୟବସ୍ଥିତ ଆମିଷ ବଜାର… ଖତ ଖାଉଛି ନବନିର୍ମିତ ଆମିଷ ଭେଣ୍ଡିଂ ଜୋନ୍

0
72

ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଭାବରେ ଦୀର୍ଘଦିନ ଧରି ଆମିଷ ବଜାର ଚାଲିଛି । ଆମିଷ ଦୋକାନ ଗୁଡ଼ିକ ସହର ମଧ୍ୟରେ ମନଇଚ୍ଛା ଖୋଲାଯାଇ ସହରର ସୌନ୍ଦର୍ଯ୍ୟ ତଥା ସ୍ଥାନୀୟ ପରିବେଶକୁ ଦୂଷିତ କରୁଥିବାବେଳେ ପୌର ପ୍ରଶାସନ ନିଦାବିଷ୍ଣୁ ପାଲଟିବା ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ଆମିଷ ଦୋକାନ ଗୁଡ଼ିକୁ ସହର ପାର୍ଶ୍ୱରେ ବ୍ୟବସ୍ଥିତ ଭାବରେ ସ୍ଥାପନ କରାଯିବାକୁ ସହରବାସୀ ତଥା ବୁଦ୍ଧିଜୀବୀ ମହଲରେ ବାରମ୍ବାର ଦାବି ହୋଇ ଆସୁଛି। ଏହାକୁ ଗୁରୁତ୍ଵ ଦେଇ ପୌର ପରିଷଦ ପକ୍ଷରୁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଥିବା ଆମିଷ ଦୋକାନଗୁଡ଼ିକୁ ଗୋଟିଏ ସ୍ଥାନରେ ସ୍ଥାପନା କରିବାକୁ ପଦକ୍ଷେପ ନିଆଯାଇ ଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ହାଟପଦା ପଡ଼ା ମୁକ୍ତିଧାମ ନିକଟରେ ମୁଖ୍ୟମନ୍ତ୍ରୀ ‘କର୍ମତତ୍ପର ଅଭିଯାନ’ ଅନ୍ତର୍ଗତ ୨ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଭେଣ୍ଡିଂ ଜୋନ୍ ପ୍ରକଳ୍ପର ଆରମ୍ଭ ତା. ୨୩.୦୨.୨୦୨୨ ରେ କରାଯାଇ ତା. ୨୬.୦୭.୨୦୨୨ ରେ ଶେଷ ହୋଇଥିଲା । ତେବେ ବର୍ଷାଧିକ କାଳ ବିତିଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ଯାଏ କାର୍ଯ୍ୟକ୍ଷମ ନ ହେବା ଯୋଗୁଁ ପରିତ୍ୟକ୍ତ ହୋଇ ଅସାମାଜିକ କାର୍ଯ୍ୟକକାପର ପେଣ୍ଠସ୍ଥଳୀ ପାଲଟିଛି । ଅପର ପକ୍ଷରେ ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧିକୁ ଗୁରୁତ୍ଵ ଦେଇ ପୌର ପରିଷଦର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ଅବ୍ୟବସ୍ଥିତ ଆମିଷ ବଜାର ଏଥିରେ ମୁଖ୍ୟ ବାଧକ ସାଜିବା ସହ ପରିବେଶକୁ ଦୂଷିତ କରୁଛି । ଭେଣ୍ଡିଂ ଜୋନ୍ କାର୍ଯ୍ୟକ୍ଷମ କରିବା ସହ ଆମିଷ ଦୋକାନଗୁଡ଼ିକୁ ବ୍ୟବସ୍ତିତ କରାଯିବାକୁ ସହରର ସଚେତନ ନାଗରିକ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here