ପିଆଜ ଗଡ଼ରେ ଅବହେଳିତ ପିଆଜ ଚାଷୀ

0
67

ଟିଟିଲାଗଡ ୧୯/୬(ଜେଏନ୍ଏସ୍), ଏକଦା ପିଆଜ ଚାଷର ଗଡ଼ ଭାବେ ପରିଚିତ ଟିଟିଲାଗଡ଼ ତାର ପୂର୍ବ ଗୌରବ ହରାଇବାକୁ ବସିଛି । ଟିଟିଲାଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳ ପିଆଜ ଚାଷ ପାଇଁ ଅନୁକୂଳ ଥିବା ଯୋଗୁଁ କିଛି ବର୍ଷ ପୂର୍ବେ ଏଠାରୁ ବିଭିନ୍ନ ସହର ତଥା ପଡୋଶୀ ରାଜ୍ୟକୁ ପିଆଜ ରପ୍ତାନି ହେଉଥିବା ନଜିର ରହିଛି । ତେବେ କ୍ରମାଗତ ଭାବରେ ଅଞ୍ଚଳର ପିଆଜ ଚାଷୀ ଅବହେଳିତ ହୋଇଆସୁଥିବା ଯୋଗୁଁ ଚାଷ ପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ପିଆଜ ଉତ୍ପାଦନ ପରେ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାରର ଅଭାବ ଥିବା ଯୋଗୁଁ ନିଜ କଷ୍ଟ ଉତ୍ପାଦିତ ଅମଳ ଶାଗ ମାଛ ଦରରେ ଦଲାଲଙ୍କୁ ବିକ୍ରି କରିବାକୁ ଚାଷୀ ଏକ ପ୍ରକାର ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଯୋଗ୍ୟ ଯେ, ଶିଳ୍ପବିହୀନ ଓ କୃଷିଭିତ୍ତିକ ଟିଟିଲାଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳର ଚାଷୀଙ୍କ ଉତ୍ପାଦିତ ଫସଲକୁ ସଂରକ୍ଷିତ ରହିବାପାଇଁ ବିଗତ ୨୦୧୮ ମସିହା ରେ ସହର ନିକଟସ୍ଥ ଚାହାଁରଭଟା ଠାରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଶୀତଳ ଭଣ୍ଡାର ଭୂତକୋଠି ପାଲଟିଥିବା ଦେଖିବାକୁ ମିଳିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳର ଚାଷୀ ପ୍ରଶାସନ ଠୁ ଆରମ୍ଭ କରି ରାଜନେତାଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି । ପିଆଜ ଚାଷୀଙ୍କୁ ଉଚିତ ବିକ୍ରି ମୂଲ୍ୟ ମିଳୁ ନ ଥିବା ଯୋଗୁଁ ଅଞ୍ଚଳର ଅନେକ ପିଆଜ ଚାଷୀ ଚାଷ କାମରୁ ମୁହଁ ଫେରାଇବା ସହ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବାକୁ ଶ୍ରେୟ ମଣୁଥିବା ଦେଖାଯାଇଛି । ଅଞ୍ଚଳରେ କ୍ରମାଗତ ଭାବରେ ପିଆଜ ଉତ୍ପାଦନରେ ହ୍ରାସ ଘଟିବା ଓ  ଚାଷୀ ର ଉତ୍ପାଦିତ ଫସଲ ଦଲାଲ ନିୟନ୍ତ୍ରଣରେ ରହିବା ଯୋଗୁଁ  ପିଆଜ ଗଡ଼ ରେ ପିଆଜ କିଲୋ ପ୍ରତି ୪୫ ରୁ ୫୦ ଟଙ୍କାରେ ଖାଉଟି କିଣିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ସ୍ଥାନୀୟ ନେତୃତ୍ୱ ମଧ୍ୟ ପରିବର୍ତ୍ତନ ହୋଇଛି । ନୂଆ ସରକାରରେ ବଲାଙ୍ଗିର ଜିଲ୍ଲାକୁ ଗୁରୁତ୍ଵ ଦିଆଯାଇ କୃଷି ଓ କୃଷକ ସଶକ୍ତିକରଣ ପରି ଗୁରୁତ୍ଵପୂର୍ଣ୍ଣ ବିଭାଗ ମଧ୍ୟ ମିଳିଛି । ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଉଳି ଯାଉଥିବା ଆଶା ମଧ୍ୟ ପୁନର୍ଜୀବିତ ହୋଇ ଉଠିଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here