ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଠିକାଦାର ପ୍ରୀତି : ବିନା ଟେଣ୍ଡରରେ ହାତେଇଛନ୍ତି ୪୦ ଲକ୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟାଦେଶ

0
85

ଟିଟିଲାଗଡ଼,୨୮/୦୫/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଅନ୍ତର୍ଗତ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡରରେ ହେଉଥିବା ଦେଖିବାକୁ ମିଳୁଛି । ସରକାରୀ ନିୟମ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଅଧିକ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯିବା ନେଇ ନିୟମ ରହିଛି । ତେବେ ବିଭାଗୀୟ ଅଧିକାରୀମାନେ ବେଶ ଚତୁରତାର ସହ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପକୁ ବିଭାଜିତ କରିବା ସହ ଟେବୁଲ ଟେଣ୍ଡର ମାଧ୍ୟମରେ ନିର୍ଦ୍ଧିଷ୍ଟ କିଛି ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରୁଥିବା ଦେଖାଯାଇଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି) ବିଭାଗର ଯନ୍ତ୍ରୀ ସମଗ୍ର ଜିଲ୍ଲା ଦାୟିତ୍ୱରେ ରହିଥିବା ବେଳେ ଏହି ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏପରିକି ସମ୍ପୃକ୍ତ ଯନ୍ତ୍ରୀ ନିର୍ଦ୍ଧିଷ୍ଟ କିଛି ଠିକାଦାରଙ୍କ ସହ ସହଭାଗିତାରେ ଠିକାକାର୍ଯ୍ୟ କରୁଥିବା ନେଇ କିଛି ଠିକାଦାର ଅଭିଯୋଗ ଆଣିଛନ୍ତି । ଟିଟିଲାଗଡ଼ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ କଲେଜରେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କାର୍ଯ୍ୟକୁ ବିଭାଜିତ କରି ଜଣେ କାର୍ଯ୍ୟରତ ଶିକ୍ଷକ ଥାଇ ଠିକାଦାର ସାଜିଥିବା ବ୍ୟକ୍ତିଙ୍କୁ କର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ସହଭାଗିତାରେ କାର୍ଯ୍ୟ ସମାପନ କରାଯାଇଛି । ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ ଅଣଦେଖା କରିବା ସହ ଗଳାବାଟ ଦେଇ କରାଯାଇଥିବା ଏହି କାର୍ଯ୍ୟର ୪୦ ଲକ୍ଷ ଟଙ୍କାର ବିଲ ଆଗତ କରାଯାଇ ବିଲ ପାସ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ସେହିପରି ପୂର୍ତ୍ତ ବିଭାଗ ଅନ୍ତର୍ଗତ ଟିଟିଲାଗଡ଼ରୁ ସିନ୍ଧେକେଲା ଓ ଟିଟିଲାଗଡ଼ରୁ ଲୁଥୁରବନ୍ଧ  ରାସ୍ତାକାମ ଚାଲୁଥିବା ବେଳେ ଏଥିରେ ଅହେତୁକ ବିଳମ୍ବ ଏବଂ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତରଣ କରା ନ ଯିବା ଯୋଗୁଁ ନିତିଦିନ ବିଭିନ୍ନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ପୂର୍ତ୍ତ ବିଭାଗ ଅଧିକାରୀ ଲୋକଙ୍କ ସୁରକ୍ଷା ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୂର୍ତ୍ତବିଭାଗ ଏସ୍.ଡି.ଓ ଡିଲେଶ୍ୱର ମାଝୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଚିରାଚରିତ ଭାବେ ସେ ଫୋନ ଉଠାଇ ନ ଥିଲେ । ତେବେ କଣ୍ଟାବାଞ୍ଜି ଡିଭିଜନ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଦୁଇଦିନ ପରେ ଦାୟିତ୍ଵ ନେବାକୁ ଥିବା ନୂତନ ନିର୍ବାହୀ ଯନ୍ତ୍ରୀ  ଜ୍ଞାନରଞ୍ଜନ ନାୟକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ନେଇ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here