ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଜେଲ ଗଲେ ଟାଟା ପାୱାରର ଦୁଇ ଅଧିକାରୀ

0
46

ଟିଟିଲାଗଡ଼,୧୦/୦୧/୨୦୨୫,(ଜେଏନ୍ଏସ୍),କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ଗୁରୁବାର ଟିଟିଲାଗଡ଼ ପୁଲିସ ଟାଟା ପାୱାରର ୨ ଜଣ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଉଭୟ ଅଧିକାରୀଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି।ସୂଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସାଲେଡିଗିରି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଘଟଣା ସମ୍ଵନ୍ଧରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକମାନେ ଟାଟା ପାୱାର ଅଫିସକୁ ଯାଇ ଥିବାବେଳେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ ଦିବସ ଥିବା ସତ୍ତ୍ଵେ  ଖୋଲାନ ଗ୍ରାମର ଏକ ଆମ୍ବ ବଗିଚାରେ ଭୋଜି କରୁଥିବା ଜାଣିବାକୁ ପାଇଥିଲେ । ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ଦେଖି ମଦ ନିଶାରେ ମାତାଲଥିବା ଅଧିକାରୀମାନେ ଉତ୍ତେଜିତ ହୋଇ ସାମ୍ବାଦିକ ସଞ୍ଜୟ ବେହେରା, ଅଭିନାଶ ନନ୍ଦ ଓ ତରୁଣ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହେବାପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇ କଣ୍ଟାବାଞ୍ଜି ଏସ୍. ଡି. ଓ. ଜଗନ୍ନାଥ ପତି ଓ ମୁରିବାହାଲ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରାଯାଇଥିଲା । ଆଜି ଉଭୟ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାରେ ସଂଶ୍ଳିଷ୍ଟ ଆଉ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବାକୁ ଦାବୀ ହୋଇଛି । ଅପରପକ୍ଷରେ ଟାଟା ପାୱାର ସି.ଇ.ଓ. ପ୍ରବୀଣ କୁମାର ସଂପୃକ୍ତ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ କରାଯାଇଥିବା ତଥା ଉଚ୍ଚ କ୍ଷମତାସମ୍ପନ୍ନ ବିଭାଗୀୟ କମିଟି ତଦନ୍ତ ପାଇଁ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି । ସଂପୃକ୍ତ ଘଟଣା ଯୋଗୁଁ ଟାଟା ପାୱାରର ସମ୍ମାନରେ ଆଞ୍ଚ ଆସିଥିବା ବିଷୟ ସ୍ଵୀକାର କରିବା ସହିତ ଭବିଷ୍ୟତରେ ଭୋଜିଭାତ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ ନେବା ଅନିର୍ବାଯ୍ୟ ବୋଲି କହିଛନ୍ତି । 

LEAVE A REPLY

Please enter your comment!
Please enter your name here