ଉତ୍କଳ ଦିବସ ; ଏକ ବିହଙ୍ଗବଲୋକନ

0
68

କଟକ,୦୧.୦୪.୨୦୨୫(ଜେ.ଏନ୍.ଏସ୍. ବ୍ୟୁରୋ), ଏପ୍ରିଲ ୧ ତାରିଖ ଓଡିଆ ଜାତୀୟ ଜୀବନର ଏକ ଗୌରବମୟ ଦିବସ। ଗୋଟିଏ ଜାତିର ନବ ଜନ୍ମ ଜାତକ । ଗୋଟିଏ ଭୂମିର ଆତ୍ମ ପରିଚୟ। ନିଜ ମାଟିକୁ ନାମକରଣ କରିବାର ଏକ ଐତିହାସିକ ମାହେନ୍ଦ୍ର ଲଗ୍ନ । ହଁ ଏହି ଦିନଟି ଉତ୍କଳ ଦିବସ ରୂପେ ପାଳନ କରାଯାଏ ଆମ ରାଜ୍ୟରେ । ପୂର୍ବେ ଏହାର ନାମ ଥିଲା କଳିଙ୍ଗ। ଦିନ ଥିଲା ଯେତେବେଳେ ଓଡିଶାର ନାମ ସାରା ବିଶ୍ଵରେ ବ୍ୟାପିଯାଇଥିଲା ଏହି ଦିନ ଉତ୍କଳ ପରାଧୀନତାରୁ ମୁକ୍ତ ହୋଇ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଓଡିଆ ଜାତିର ସ୍ଵତନ୍ତ୍ର ଦିବସ ।

ଉତ୍କୃଷ୍ଟ କଳାର ଦେଶ ଉତ୍କଳ। ଉତ୍କଳର କଳା ବିଶ୍ଵ ବିଦିତ । ଓଡିଆ ଜାତିର ଆରାଧ୍ୟ ଦେବତା ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ରାଜରାଣୀ ମନ୍ଦିର, ଖଣ୍ଡଗିରୀ, ଉଦୟଗିରୀ ଓ ଲଳିତଗିରିର ଚାରୁକଳା କେବଳ ଅଦିତୀୟ ନୁହେଁ ଅତୁଳନୀୟ ମଧ୍ୟ । ଅନେକଙ୍କ ମତରେ ଏହି କୀର୍ତି ରାଜି ଗୁଡିକ ମଣିଷ ଗଢା ନୁହେଁ ଏହା ଇଶ୍ଵର ପ୍ରଦତ୍ତ । ଧୀରେ ଧୀରେ ଅବକ୍ଷୟ ହୋଇ ଆସୁଥିଲା ଗୋଟିଏ ପାରଙ୍ଗମ ଜାତି ।

ତାର ଇତିହାସ ଥିଲା ଗୌରବମୟ, ସାହିତ୍ୟ ଥିଲା ପ୍ରଜ୍ଞାଦୀପ୍ତ, ତାର ଶିଳ୍ପୀ ନିହାଣ ମୁନରେ ପଥରକୁ  କରୁଥିଲା ଜୀବନ୍ତ । ସୁନାରେ, ରୂପାରେ ବୁଣୁଥିଲା ପବନର ତନ୍ତୁ, ବୁଣାକାର ତିଆରି କରୁଥିଲା କାର୍ପାସରେ କୁହୁକ, ଖଣ୍ଡ ବିଖଣ୍ଡିତ ହୋଇ ସାରିଥିଲା ତାର ପ୍ରାଣ, ପିଣ୍ଡ ଆଉ ଭୂଖଣ୍ଡ ।  

କଳା ବିଳାସିନି, ମନ୍ଦିର ମାଳିନୀ, କୀର୍ତି କିରିଟିନୀ, ପୂଣ୍ୟ ଭୂମି ଓଡିଶାର ପ୍ରାଚୀନ ନାମ ଥିଲା ଉତ୍କଳ।  ଗୌରବ ଗରିବୀଣି  ଉତ୍କଳର ଅତିତ ସ୍ମୃତି ଓ ପରମ୍ପରା ଖାଲି ଭାରତ ବର୍ଷରେ କାହିଁକି ସମଗ୍ର ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା । ଧର୍ମ, ରାଜନୀତି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଉତ୍ତୂଙ୍ଗ  ସ୍ଥାନ ଅଧିକାର କରିଥିଲା । ଉତ୍କଳର ଅର୍ଥ କଳାର ପିଠସ୍ଥଳୀ । ଉତ୍କଳର କଳା ପୃଥିବୀ ପ୍ରସିଦ୍ଧ । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର,  କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ରାଜରାଣୀ ମନ୍ଦିର, ଖଣ୍ଡଗିରୀ, ଉଦୟଗିରୀ ଓ ଲଳିତଗିରି ର ଚାରୁକଳା ଅଦିତୀୟ ଓ ଅତୁଳନୀୟ । ଅନେକ ବିଦେଶୀଙ୍କ ମତରେ ଏହାକୁ ମଣିଷ କରିନାହିଁ ଏହା ଇଶ୍ଵର ପ୍ରଦତ୍ତ ।  

ଉତ୍କଳର ବୀରତ୍ଵ ସର୍ବ ବିଦୀତ୍ତ  । ଅଶୋକଙ୍କ କଳିଙ୍ଗ ଆକ୍ରମଣ ଏବଂ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବା ଉତ୍କଳର ପରମ ପରାକାଷ୍ଠାର ପରିଚୟ ପ୍ରଦାନ କରେ । ଖାରବେଳ ଉତ୍କଳର ସୈନ୍ୟଙ୍କୁ ନେଇ କଳିଙ୍ଗର ଅପହୃତ ଅଞ୍ଚଳକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ ।  ଗୁପ୍ତ ବଂଶର ଶାସନ କାଳ ଓଡିଶାକୁ ସୁବର୍ଣ୍ଣ ଯୁଗ ଆଣିଦେଇଥିଲା । ଏହାଛଡା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ଅନଙ୍ଗ ଭୀମ ଦେବ ପ୍ରଭୃତି ସମ୍ରାଟ ମାନଙ୍କ ପରାକ୍ରମରେ ଓଡିଶା ଗଙ୍ଗା ଠାରୁ ଗୋଦାବରୀ ଯାଏ ବିସ୍ତ୍ରୁତ ହେଲା । ରାଧାନାଥଙ୍କ ଭାଷାରେ:-

“ଗୋଦାବରୀ ଠାରୁ ଗଙ୍ଗା ଯାଏ ବ୍ୟାପୀ

 କୀର୍ତ୍ତିମାଳା ଯାର ବିରାଜେ ଅଦ୍ୟାପି ।” 

           ଉତ୍କଳର ନୌବାଣିଜ୍ୟ ବିଶ୍ଵ ବିଖ୍ୟାତ । ଆମ ସାଧବ ପୁଅ, ଆମ ଧର୍ମ, କଳା ଓ ସଂସ୍କୃତି କୁ ବିଦେଶରେ ପ୍ରଚାର କରିଥିଲେ ।  

           ସାହିତ୍ୟ କ୍ଷେତ୍ରରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରିଛି ।  ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ଠାରୁ ଆରମ୍ଭ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥଙ୍କ ପର୍ଜ୍ୟନ୍ତ ପ୍ରଥିତ ଯଶା ସାହିତ୍ୟିକ ଗଣ , ଉତ୍କଳର ସାହିତ୍ୟିକ ଭିତିଭୂମି ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି ।   

            ଓଡିଶାର ଜଗନ୍ନାଥ ଧର୍ମ ବିଶ୍ଵ ଜନବିଦିତ । ଜଗନ୍ନାଥଙ୍କ ମହାପ୍ରସାଦରେ ଉଚ୍ଚ ନିଚ୍ଚ ଭାବ ନାହିଁ , ଜାତି ଭେଦ ନାହିଁ, ଏହା ଜଗନ୍ନାଥ ଧର୍ମ । ଏହି ଜଗନ୍ନାଥ ଧର୍ମ,  ଅନେକ ଧର୍ମ ପ୍ରଚାରକ, କବୀର,  ନାନକ, ଶଙ୍କର, ଶ୍ରୀ ଚୈତନ୍ୟଙ୍କୁ ଟାଣି ଆଣିଥିଲା ଏହି ଉତ୍କଳ ଭୂମିକୁ କିନ୍ତୁ ଉତ୍କଳର ଭାଗ୍ୟରେ ବି ବିଡମ୍ବନା ଦେଖାଦେଇଥିଲା ।  ବିଦେଶୀ ମାନଙ୍କ ଶାସନ କାଳରେ ଏହା ଖଣ୍ଡବିଖଣ୍ଡିତ ହେବାକୁ ଲାଗିଲା, ବିଭିନ୍ନ ଭାଷାଭାଷୀ ଲୋକ ଓଡିଆ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି କହିବାକୁ ଲାଗିଲେ ।  ଓଡିଶାର ଅସ୍ତିତ୍ଵ ଲୋପ ପାଇଲା ବିଶେଷ ଏହି ଇଂରେଜ ଶାସନ କାଳରେ । ୧୫୬୦ ରୁ ୧୮୦୩ ପର୍ଜ୍ୟନ୍ତ  ଆଫଗାନ ଓ ମୋଗଲ ଶାସନ କାଳରେ ଓଡିଶା ଅକ୍ଷୁର୍ଣ୍ଣ ଥିଲା ନିଜର ସ୍ଵାତନ୍ତ୍ର୍ୟ ହରେଇନଥିଲା କିନ୍ତୁ ୧୮୦୩ ମସିହାରେ ଯେତେବେଳେ ଓଡିଶା ଇଂରେଜ ଶାସନ ଦ୍ଵାରା ପରିଚାଳିତ ହେଲା, ଓଡିଶାକୁ ବିଭାଜିତ କରାଇ ଦିଆଗଲା ଗଞ୍ଜାମ ସମେତ ଦକ୍ଷିଣ ଓଡିଶାର ବହୁ ଅଞ୍ଚଳକୁ ମାଡ୍ରାସ ପ୍ରେସିଡେନ୍ସି ସହ ଅନ୍ତର୍ଭୁକ୍ତ କରିଦିଆଗଲା । ସମ୍ବଲପୁର ଇତ୍ୟାଦି ପଶ୍ଚିମାଞ୍ଚଳ ସେଣ୍ଟ୍ରାଲ ପ୍ରୋଭିନ୍ସ ର କମିସନରଙ୍କ ଦ୍ଵାରା ନିୟନ୍ତ୍ରିତ ହେଲା ଏବଂ ଉତ୍ତର ଓଡିଶାର ଅନେକ ଅଞ୍ଚଳ ବେଙ୍ଗଲ ପ୍ରେସିଡେନ୍ସି ଅଧୀନରେ ପରିଚାଳିତ ହେଲା ।

           ଓଡିଶାର ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇସାରିଥିଲା । ଏହି ପରିପେକ୍ଷୀରେ ଓଡିଶାରେ ରାଜେନ୍ଦ୍ରଲାଲ ମିତ୍ର ବଙ୍ଗଳା ଭାଷାରୁ କଚେରୀ ଭାଷା ରୂପେ ଚଳାଇବାକୁ ଯୁକ୍ତି ବାଢିଲେ – “ଓଡିଆ ବଙ୍ଗଳା ଭାଷାର ଏକ ଉପ ଭାଷା ଅଟେ” ଓଡିଆ ଏକ ସ୍ଵତନ୍ତ୍ର ଭାଷା ନୟ  ।

           ଓଡିଶାରେ ଇଂରେଜ ଶାସନର ପଚାଶ ବର୍ଷ ପରେ କେତେକ ନେତୃବୃନ୍ଦ, ସ୍ଵତନ୍ତ୍ର ପ୍ରଦେଶ ଗଠନର ସ୍ଵପ୍ନ ଦେଖିବାକୁ ଲାଗିଲେ  ସେମାନଙ୍କ ମଧ୍ୟରେ କୁଳବୃଦ୍ଧ ମଧୁସୂଦନ ଦାସ ଅଗ୍ରଗଣ୍ୟ । ତାଙ୍କ ସହ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଫକିର ମୋହନ ସେନାପତି, ଗୋଦାବରୀଶ ମିଶ୍ର, ମଧୁସୂଦନ ରାଓ, ରାଧାନାଥ ରାୟ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି ଦେବ, ଶଶିଭୂଷଣ ରଥ ପ୍ରଭୁତି ବିଶିଷ୍ଟ ସାହିତ୍ୟ ରଥୀ ତଥା ଯୋଗଜନ୍ମା ବୀର ପୁରୁଷ ଗଣ ଓଡିଆ ଭାଷାର ସ୍ଵାତନ୍ତ୍ର୍ୟ  ତଥା ଓଡିଶାରୁ ଏକ ସ୍ଵତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଲାଗିଲେ ।

           ଏଥିପାଇଁ ମଧୁବାବୁ ବାରମ୍ବାର ଉତ୍କଳର ବିଭିନ୍ନ ପ୍ରାନ୍ତରେ ଉତ୍କଳ ସମ୍ମିଳନୀ ଡକାଇ ବାରମ୍ବାର ଭାବ ବିହ୍ଵଳ ହୋଇ ଗାଉଥିଲେ  

                  “ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ

                           କୋଟି ପ୍ରାଣ ବିନ୍ଦୁ ଧରେ

                   ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ

                        ଡେଇଁ ପଡି ସିନ୍ଧୁ ନୀରେ । “

           ୧୯୦୫ ମସିହାରେ ସମ୍ବଲପୁରର ବୀର ସନ୍ତାନ ମାନଙ୍କ ଆନ୍ଦୋଳନ ଫଳରେ କଳାହାଣ୍ଡି ରେଢାଖୋଲ, ସୋନପୁର ଆଦି ଓଡିଶାରେ ମିଶିଥିଲା । ୧୯୧୧ ମସିହାରେ ବଙ୍ଗ ବିହାର ସବ ଡିଭିଜନ ପୃଥକ ହୋଇ ବିହାର ଓଡିଶା ପ୍ରଦେଶ ଗଠନ ହେଲା । ବିଭିନ୍ନ ବାଦ ପ୍ରତିବାଦ ପରେ ୧୯୩୧ ମସିହାରେ ଲଣ୍ଡନ ରେ ଯେଉଁ ଗୋଲ ଟେବୁଲ ବୈଠକ ବସିଲା ସେଥିରେ ଓଡିଶାରୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦେବ ପ୍ରତିନିଧି ମନୋନୀତ ହୋଇଥିଲେ ।

           ମହାରାଜା ଏଥିରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଦୃଢ ଦାବି ଉପସ୍ଥାପନ କଲେ । ପୁନର୍ବାର ୧୯୩୩ ମସିହାରେ ମହାରାଜଙ୍କ ନେତୃତ୍ବରେ ଏକ ୭ ଜଣିଆ କମିଟି ଲଣ୍ଡନ ଯାଇ ବ୍ରିଟିଶ ସରକାରଙ୍କ ଉପରେ ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ଚାପ ପକାଇଥିଲେ । ୧୯୫୩ ମସିହାରେ ପାରଳାଖେମୁଣ୍ଡି ଓ ଜୟପୁର ଓଡିଶାରେ ମିଶିଲା  ଏବଂ ପରିଶେଷରେ ୧୯୩୬ ମସିହା ଏପ୍ରିଲ ମାସ ୧ତାରିଖ ଦିନ ଓଡିଶା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଘୋଷିତ ହେଲା । ସେହିଦିନ ଠାରୁ ଏପ୍ରିଲ ପହିଲାକୁ  “ଉତ୍କଳ ଦିବସ” ରୂପେ ପାଳନ କରାଯାଇ ଆସୁଛି ।  ତଥାପି ସଢେଇ କଳା ଏବଂ ଖରସୁଆଁ ଏ ପର୍ଯ୍ୟନ୍ତ ଓଡିଶାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ । ସମଗ୍ର ଭାରତ ବର୍ଷ କାହିଁକି, ସମଗ୍ର ବିଶ୍ଵରେ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ଵତନ୍ତ୍ର ଓଡିଶା ଗଠନ ଆମ ଇତିହାସର ଗୌରବମୟ  ସ୍ଵର୍ଣ୍ଣିମ ଅଧ୍ୟାୟ ଅଟେ ।

           ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ପୁରୋଧା କୁଳବୃନ୍ଦ ମଧୁସୂଦନ ଏବଂ ଉତ୍କଳମଣି ଗୋପବନ୍ଧୁ ଏହି ସୁଦୃଶ୍ୟ ଦେଖିପାରିନଥିଲେ ।  ସେମାନଙ୍କ ଆନ୍ଦୋଳନ ଫଳରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହା ଏକ ଆକସ୍ମିକ ନାଟକୀୟ ଘଟଣା ନଥିଲା ।  ଅନେକ କଳାକାର, ବୀର ପୁରୁଷ, ତଥା ସାହିତ୍ୟିକମାନଙ୍କ ଉତ୍ସର୍ଗିକୃତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହେଲା ।  ଏକ ସମୃଦ୍ଧ ଓଡିଶା ଗଠନ, ଏହି ଜାତିର ପବିତ୍ର ଦିବସରେ ସଂକଳ୍ପ ହେଉ ।

             ।।   ବନ୍ଦେ ଉତ୍କଳ ଜନନୀ  ।।

ସଚି ବେହେରା

           ଲାଲବାଗ , ଜିଗ୍ନିପୁର, ମାହଙ୍ଗା, କଟକ

          ଦୁରଭାଷ:   ୯୦୯୦୧୭୫୨୭୦

LEAVE A REPLY

Please enter your comment!
Please enter your name here