ବଲାଙ୍ଗିରରେ ବିଭିନ୍ନ ସ୍ଥାନରେ ବନମହୋତ୍ସବ ପାଳିତ

0
61

ବଲାଙ୍ଗିର,୦୩/୦୭ (ଜେଏନ୍ଏସ୍), ବଲାଙ୍ଗିର ବନଖଣ୍ଡ ପକ୍ଷରୁ ୭୫ ତମ ବନମହୋତ୍ସବ ପାଳିତ ହୋଇଛି । ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ତତ୍ତ୍ୱାବଧାନରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନ୍ତର୍ଗତ ସହରର ବିଭିନ୍ନ ପ୍ରାନ୍ତରେ ବ୍ୟାପକ ବନୀକରଣ କରାଯାଉଛି । ବୃକ୍ଷ ରୋପଣକୁ ଗୁରୁତ୍ଵଦେଇ ସହରର ସାମାଜିକ ଓ ସାଂସ୍କୃତିକ ସଂଗଠନ ଗୁଡିକ ପକ୍ଷରୁ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଦେଖିବାକୁ ମିଳିଛି । ସବୁଜ ବଲାଙ୍ଗୀର ସଙ୍ଗଠନ ପକ୍ଷରୁ ୨ ଦିନ ଧରି ସଦେଇପାଲି ସ୍ଥିତ ଲୋୟରସୁକତେଲ ବିସ୍ଥାପିତଙ୍କ କଲୋନୀ ପରିସରରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି ବୃକ୍ଷରୋପଣ କରାଯାଇଛି । ମୁଖ୍ୟତଃ ମହିଳାମାନେ ବୃକ୍ଷରୋପଣ ପ୍ରତି ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି । ବିସ୍ଥାପିତ କଲୋନୀରେ ୨୦୦ ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯାଇଥିବା ବେଳେ ଏହାର ସଂରକ୍ଷଣ ଦାୟିତ୍ଵ ସ୍ଥାନୀୟ ଲୋକେ ନେବାକୁ ସମ୍ମତି ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ରେଞ୍ଜର ନବୀନ ପଣ୍ଡା, ସବୁଜ ବଲାଙ୍ଗିରର ହେମନ୍ତ ପଣ୍ଡା, ପ୍ରଦୀପ ମହାନ୍ତି, ଜୟପ୍ରକାଶ ପୁରୋହିତ, ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ରାଧାକାନ୍ତ ମହାପାତ୍ର, ନୂତନ ଦାସ ପ୍ରମୁଖ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ସେହିପରି ଗନ୍ଧରେଲ ସ୍ଥିତ ଆଶ୍ରମରେ ବରିଷ୍ଠନାଗରିକ ନବକୃଷ୍ଣ ସାହୁଙ୍କ ନେତତ୍ୱରେ ପ୍ରିୟ ରଞ୍ଜନ ବହିଦାର ଓ ଅନ୍ୟମାନେ ବୃକ୍ଷରୋପଣ କରିଛନ୍ତି ।ସ୍ଥାନୀୟ ଜିଲ୍ଲା ପର୍ଯ୍ୟଟନକାର୍ଯ୍ୟାଳୟ ପରିସରରେ ମଧ୍ୟ ଜିଲ୍ଲା ପର୍ଯ୍ୟଟନଅଧିକାରୀ ଆରକେ ଦଳାଇଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟକୁମାର ସେଠୀ ଓ ସମ୍ମାନୀତ ଅତିଥି ଭାବରେ ଡିଏସ୍ଏସ୍ଓ ମଦନଜିତ ହୋତା, ଏସ୍.ଆଇ.ଏଚ.ଏମ.ର ଅଧ୍ୟକ୍ଷ ଡ.ସୁରେଶ ଏକନାଥ, ଜିଲ୍ଲା ଯୋଜନା ଅଧିକାରୀ ସଂଜୟ ଦୀପ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here