ବରିଷ୍ଠ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ।

0
83

ଭୁବନେଶ୍ଵର, ୨୮/୦୨/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତାଙ୍କର ପରଲୋକ ନେଇ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ସୂତ୍ରରୁ ଏହି ସୂଚନା ମିଳିଛି ।ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଉତ୍ତମ ମହାନ୍ତି ୧୯୭୭ ମସିହାରେ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ। ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ଆଗକୁ ବଢ଼ିଥିଲେ । ୧୯୭୯ରେ ଚିହ୍ନା-ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦ରେ ରାମାୟଣ, ରାମ ବଳରାମ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୁଣି ୧୯୮୪ରେ ଦଣ୍ଡାବାଳୁଙ୍ଗା ତାଙ୍କୁ ଏକ ଭିନ୍ନ ପରିଚୟ ଦିଏ । ୧୯୯୦ରେ ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ବିଧିର ବିଧାନ ଓଡ଼ିଆ ଦର୍ଶକଙ୍କର ମନ ଛୁଇଁଛି । ଏଯୁଗର କୃଷ୍ଣସୁଦାମା, ମୁଁ ତତେ ଲଭ୍ କରୁଛି, ତୁମକୁ ପାରୁନି ଭୁଲି, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରୁଛି ପାଉଁଜି ତୋର, ବିଦ୍ୟାରାଣ ଭଳି ଚଳଚ୍ଚିତ୍ର ଦର୍ଶକମାନଙ୍କର ହୃଦୟକୁ ଛୁଇଁଛି । ମୋଟାମୋଟି ଭାବେ ଉତ୍ତମ ମହାନ୍ତି ପ୍ରାୟ ଦେଢଶହ ରୁ ଉର୍ଦ୍ଧ୍ଵ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । କେବଳ ଓଡ଼ିଆ ନୁହେଁ, ବରଂ ସେ ୩୦ଟି ବେଙ୍ଗଲି ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର (ନୟା ଜହେର)ରେ ମଧ୍ୟ ଅଭିନୟ କରିଛନ୍ତି। ଏତଦ୍ ବ୍ୟତୀତ ସେ କିଛି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି, ଯେଉଁଥିରେ କଥା କହୁଥିଲେ ସରିବନି, ପଣତକାନୀ, ସାରାଆକାଶ ଓ ଉତ୍ତରଦାୟୀ ସାମିଲ ରହିଛି । ଉତ୍ତମ ମହାନ୍ତିଙ୍କୁ ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଅନେକ ଥର ଶ୍ରେଷ୍ଠ ଅଭିନେତା ଓ ସହ ଅଭିନେତା ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । 

ତେବେ ଉତ୍ତମ ମହାନ୍ତିଙ୍କର ପରଲୋକ ଖବର ଶୁଣି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର, ଦର୍ଶକ ଓ ପ୍ରଶଂସକ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି । ଲୋକପ୍ରିୟ ଅଭିନେତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here