ଭୁବନେଶ୍ୱର,୧୯/୧୧,(ଜେଏନ୍ଏସ୍):ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି । ଜଣେ ପ୍ରବୀଣ ରାଜନେତା ଭାବେ ବେଶ ଲୋକପ୍ରିୟ ଥିଲେ ସମୀର ଦେ । ଏମିତି କି ୨୦୦୪ରୁ ୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ । କଟକ ସହରରୁ ୩ ଥର ବିଧାୟକ ରହିଥିଲେ । ୧୯୯୫ ମସିହାରୁ ଆରମ୍ଭ କରି ୨୦୦୦ ମସିହା ଓ ୨୦୦୪ ମସିହାରେ ସେ ଲଗାତାର ବିଧାନସଭାକୁ ନିର୍ବାଚିତ ହେଇଥଲେ । ହେଲେ ଏହା ପରଠୁ କିନ୍ତୁ ସେ ନିର୍ବାଚନରେ ସଫଳତା ପାଇନଥିଲେ । ହେଲେ ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ଥିଲେ ସମୀର ଦେ । ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ବିରୋଧୀ ଦଳ ନେତା, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଥିଲା। ସ୍ୱର୍ଗତ ଦେ ଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଛନ୍ତି । ରାଜ୍ୟପାଳ ରଘୁବର ଦାସ ଶୋକବାର୍ତ୍ତାରେ କହିଛନ୍ତି ଯେ ଜଣେ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ତଥା ଲୋକପ୍ରିୟ ରାଜନେତା ଭାବେ ତାଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଥିଲା । ବିଭିନ୍ନ କ୍ରୀଡ଼ା ସଂଗଠକ ଓ ଅନୁଷ୍ଠାନ ସହ ଜଡ଼ିତ ରହି ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଓଡ଼ିଶାର ପ୍ରଗତିରେ ତାଙ୍କର ଅବଦାନ ଉଲ୍ଲେଖନୀୟ ।