ବାଇପାସ ରାସ୍ତା ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ

0
52

ଟିଟିଲାଗଡ଼,୦୩/୦୫/୨୦୨୫(ଜେ.ଏନ୍.ଏସ୍.)ଟିଟିଲାଗଡ଼ ସହର ଦେଇ ଯାଇଥିବା ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଵାଇପାସ ରାସ୍ତା ପାଇଁ ଜମି ଅଧିଗ୍ରହଣକୁ ନେଇ କୁମୁଡା ଗ୍ରାମବାସୀ ଓ ପ୍ରଶାସନ ମୁହାମୁହିଁ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ବିଭାଗୀୟ ଅଧିକାରୀ ଓ ପୁଲିସ ବଳ ସହ ପ୍ରଶାସନ ସତିଘାଟ ଠାରୁ ଦେଶିଲ ଗ୍ରାମ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆରମ୍ଭ କରିଥିବା ବେଳେ କୁମୁଡା ଗ୍ରାମର ଚାଷୀ ଏହାର ତୀବ୍ର ବିରୋଧ କରିଥିଲେ।ପ୍ରକାଶ ଯୋଗ୍ୟ ଯେ, ଟିଟିଲାଗଡ଼ ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାପାଇଁ ଜାତୀୟ ରାଜପଥ ୫୯ ବାଇପାସ୍ ରାସ୍ତାର ରୁପରେଖ ତତ୍କାଳୀନ ସରକାର ମଞ୍ଜୁର କରିଥିଲା । ଏହି ଉଦ୍ଦେଶ୍ୟରେ ଚାଷୀଙ୍କ ଚାଷ ଜମି ଅଧିଗ୍ରହଣ କରାଯାଉଥିବା ବେଳେ କ୍ଷତିପୂରଣ ରାଶି ଘୋଷଣାକୁ ନେଇ ସଂପୃକ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏପରିକି ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ଚାଷୀମାନେ ଜିଲ୍ଲାପାଳ ଏବଂ ରାଜସ୍ୱ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହିଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଠିକାଦାରକୁ ଧରି ଜମି ଅଧିଗ୍ରହଣ କରାଯିବା ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚାଷୀଙ୍କ ବିରୋଧ ଯୋଗୁଁ ପ୍ରଶାସନ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲା । ଘଟଣାକୁ ନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ସୁବାଶିଷ ଶତପଥୀଙ୍କୁ ଯୋଗାଯୋଗ କରିବାରୁ ସେ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ହୋଇ ପାରି ନଥିବା ଏବଂ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଥିଲେ । 

LEAVE A REPLY

Please enter your comment!
Please enter your name here