ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳ… କାହାକୁ ମିଳିଲା କେଉଁ ପଦ

0
79

ନୂଆଦିଲ୍ଲୀ (ଜେଏନ୍ଏସ୍),  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଶପଥ ନେବାର ଦିନକ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ଭାଜପା ମନ୍ତ୍ରୀମାନଙ୍କୁ ଦିଆଯାଇଥିବାବେଳେ  ଅଧିକାଂଶ ଭାଜପା ମନ୍ତ୍ରୀମାନଙ୍କୁ ତାଙ୍କର ପୂର୍ବ ମନ୍ତ୍ରଣାଳୟ ପୁଣି ଥରେ ଦିଆଯାଇଛି ।  ପ୍ରଧାନମନ୍ତ୍ରୀ ନିଜ ପାଖରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖୁଛନ୍ତି । ଅମିତ୍ ଶାହା ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ବଜାୟ ରଖୁଥ‌ିବାବେଳେ ଲକ୍ଷ୍ନୌ ଏମପି ରାଜନାଥ ସିଂଙ୍କ ହାତରେ ପୂର୍ବଭଳି ପ୍ରତିରକ୍ଷା ରହିଛି । ବରିଷ୍ଠ ଭାଜପା ନେତା ତଥା ନାଗପୁର ଏମ୍‌ପି ନୀତିନ ଗଡ଼କରୀ ପୂର୍ବଭଳି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପାଇଥିବାବେଳେ ଏସ୍. ଜୟଶଙ୍କରଙ୍କ ହାତରେ ଦ୍ଵିତୀୟ ଥର ପାଇଁ ବର୍ହିବ୍ୟାପାର ମନ୍ତ୍ରଣାଳୟ ରହିଛି । ନିର୍ମଳା ସୀତାରାମନ୍ ପୂର୍ବଭଳି ଅର୍ଥ ମନ୍ତ୍ରଣାଳୟ ପାଇଥିବାବେଳେ ପୀୟୂଷ ଗୋୟଲ ବାଣିଜ୍ୟ, ଅଶ୍ଵିନୀ ବୈଷ୍ଣବ ରେଳ ମନ୍ତ୍ରଣାଳୟ ସହ ସୂଚନା ପ୍ରସାରଣ ପାଇଛନ୍ତି । ପୂର୍ବ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁରାଗ ଠାକୁରଙ୍କ ହାତରେ ଥିଲା।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନୂତନ ଭାବେ କୃଷି ସହ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦିଆଯାଇଛି । ସେହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାରଙ୍କୁ ଶକ୍ତି ସହ ଗୃହନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି । ବରିଷ୍ଠ ଭାଜପା ନେତା ସି.ଆର୍. ପାଟିଲ ଜଳଶକ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗ ପାଇଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାଶ୍ଵାନଙ୍କୁ ନୂତନ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଦିଆଯାଇଛି । ଜେଡିଏସ୍ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ଵାମୀ ଇସ୍ପାତ ଓ ଭାରୀ ଶିଳ୍ପ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରାଯାଇଛି । ରଭନୀତ ସିଂ ବିଜୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ଭୂବିଜ୍ଞାନ ମନ୍ତ୍ରୀ ଥିବା କିରେନ ରିଜିକୁ ସଂସଦୀୟ ବ୍ୟାପାର ବିଭାଗ ପାଇଛନ୍ତି। ଗଜେନ୍ଦ୍ର ଶେଖାୱତ୍ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପାଇଥିବାବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସ୍ବାସ୍ଥ୍ୟ ସହ ରାସାୟନିକ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବେ। ଅନ୍ନପୂର୍ଣ୍ଣା ଦେବୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିବାବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆମ ମୋର୍ଚ୍ଚା ମୁଖ୍ୟ ଜିତନରାମ ମାଞ୍ଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏସ୍ଏମ୍ଇ) ମନ୍ତ୍ରଣାଳୟ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜେଡିୟୁ ନେତା ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଷ୍ପ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଥିବାବେଳେ ସର୍ବାନନ୍ଦ ସୋନୋଲଙ୍କୁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ବୀରେନ୍ଦ୍ର କୁମାରଙ୍କୁ ସାମାଜିକ ନ୍ୟାୟ ଓ ସଶସ୍ତୀକରଣ ବିଭାଗ, ପ୍ରହଲ୍ଲାଦ ଜୋଷୀଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ସହ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ବିଭାଗ ମିଳିଛି । କୁଏଲ୍ ଓରାମ ଆଦିବାସୀ ବ୍ୟାପାର ବିଭାଗ ପାଇଥିବାବେଳେ ଗିରିରାଜ ସିଂଙ୍କୁ ବୟନଶିଳ୍ପ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଯୋଗାଯୋଗ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦିଆଯାଇଛି । ସେହିପରି ଭୂପେନ୍ଦ୍ର ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପାଇଥିବାବେଳେ ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରଣାଳୟ ଦିଆଯାଇଛି । ମନସୁଖ ମାଣ୍ଡବ୍ୟ ଏଥର ଶ୍ରମ ଓ ନିୟୋଜନ ଏବଂ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରଣାଳୟ ପାଇଛନ୍ତି । ଜି. କିରେନ ରେଡ୍ଡୀ କୋଇଲା ଓ ଖଣି ମନ୍ତ୍ରଣାଳୟ ପାଇଛନ୍ତି ।

ସେହିପରି ସ୍ଵାଧୀନ ଦାୟିତ୍ଵରେ ଥିବା ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ରାଓ ଇନ୍ଦ୍ରଜିତ ସିଂ ପରିସଂଖ୍ୟାନ ଓ ଯୋଜନା ରୂପାୟନ ସହ ଯୋଜନା ଓ ସଂସ୍କୃତି ମନ୍ତ୍ରଣାଳୟ ପାଇଛନ୍ତି । ଜିତେନ୍ଦ୍ର ସିଂଙ୍କୁ ପୂର୍ବଭଳି ବିଜ୍ଞାନ ଓ ପ୍ରଯୁକ୍ତି ସହ ଭୂବିଜ୍ଞାନ ଏବଂ ପ୍ରଧାନମନ୍ତ୍ରୀ ନିଜପାଖରେ  କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି । ଅର୍ଜୁନ ରାମ ମେଘୱାଲ ଆଇନ ଓ ନ୍ୟାୟ ସହ ସଂସଦୀୟ ବ୍ୟାପାର ବିଭାଗ ପାଇଛନ୍ତି। ଯାଦବ ପ୍ରତାପରାଓ ଗଣପତରାଓଙ୍କୁ ଆୟୁଷ ସହ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜୟନ୍ତ ଚୌଧରୀଙ୍କୁ ଦକ୍ଷତା ବିକାଶ, ଔଦ୍ୟୋଗିକ ଏବଂ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସ୍ଵାଧୀନ ଦାୟିତ୍ଵ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here