ପୁଇଁତଳା ବ୍ଲକରେ ଚାଷିଙ୍କୁ ନିଶୁଳ୍କ ବିହନ ବଣ୍ଟନ : ୧୦୦ଏକର ଜମିରେ ଭିଟାମିନଯୁକ୍ତ ଧାନ ଓ ୧୦ ଏକର ସଜନା ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

0
65

ବଲାଙ୍ଗିର,୦୫/୦୭ (ଜେଏନ୍ଏସ୍), ବାଲାଙ୍ଗୀର (ଜେଏନଏସ) ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକରେ ୧୦୦ ଏକର ଜମିରେ ଭିଟାମିନଯୁକ୍ତ ଧାନ ଏବଂ ୧୦ ଏକର ଜମିରେ ସଜନାଚାଷ କରାଯିବାକୁ ପ୍ରଗତି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲକ୍ଷ୍ୟ ରଖିଛି । ସେଥିପାଇଁ ଚାଷିଙ୍କୁ ଆବଶ୍ୟକ ତାଲିମ ଦେବା ସହ ଶୁକ୍ରବାର ମାଗଣାରେ ବିହନ ବଣ୍ଟନ କରାଯାଇଛି । ପୁଇଁତଳା ବ୍ଲକର ଛତାପିପଲ ପଞ୍ଚାୟତର କୁଣ୍ଡାମାଳ ଗାଁଠାରେ ଥିବା ପ୍ରଡ୍ୟୁସର କମ୍ପାନୀର କାର୍ଯ୍ୟାଳୟରେ ଆଜି ଏହି ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ଏଫ୍.ପି.ଓ. ର ପରିଚାଳନା ନିର୍ଦ୍ଦେଶକ ମୋତିଲାଲ ମିଶ୍ରଙ୍କ ସଭାପତିତ୍ୱ ଓ କମ୍ପାନୀର ବିଟିଏମ୍ବା ସୁଦେବ ବସ୍ତିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୁଇଁତଳା ବ୍ଲକର ସହକାରୀ କୃଷି ଅଧିକାରୀ ଅଭିଷେକ ପାଢୀ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମହାଶକ୍ତି ଫାଉଣ୍ଡେସନର ଜିଲ୍ଲା କ୍ଷେତ୍ରଅଧିକାରୀ ସମ୍ପଦ ପଟେଲ ପ୍ରମୁଖ ଯୋଗଦେଇ ଚାଷିଙ୍କୁ ଭିଟାମିନଯୁକ୍ତ ଧାନ ଓ ଏହାର ଚାଷସମ୍ପର୍କିତ ପରାମର୍ଶ ଦେବା ସହିତ ବିହନ ବଣ୍ଟନ କରିଥିଲେ । ମୋତିଲାଲ ମିଶ୍ର ପ୍ରଗତି ଏଫପିଓ ବିଷୟରେ କହିବା ସହିତ ଏହା ଚାଷିଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କମ୍ପାନୀର କାର୍ଯ୍ୟକ୍ରମ ସହିତ ଯୋଡ଼ିବାର କାର୍ଯ୍ୟ କରୁଛି । ଗତ ୨୦୧୯ ମସିହାରୁ ଏହା କାର୍ଯ୍ୟ ଆରମ୍ଭ କରି ଆଜି ପୁଇଁତଳା ବ୍ଲକର ୧ହଜାର ଚାଷି ଓ ୨୭ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କୁ ଯୋଡ଼ିପାରିଛି । ଗତବର୍ଷ ଏହି ଏଫ୍.ପି.ଓ. ପକ୍ଷରୁ ୧୦ଏକର ଜମି ପାଇଁ  ଫର୍ଟିଫାଏଡ ଧାନ ବଣ୍ଟନ କରିଥିବା ବେଳେ ଚଳିତବର୍ଷ ଏହା ୧୦୦ ଏକର ଜମିରେ ଏହାକୁ କରାଯିବ । ଗତବର୍ଷ ମୁଗ, ତିଆସିଚଣା ଇତ୍ୟାଦି ମଧ୍ୟ ଚାଷ କରାଯାଇଥିଲା ଓ କମ୍ପାନୀ ସେହି ଉତ୍ପାଦକୁ ଚାଷିଙ୍କଠାରୁ କିଣି ତାକୁ ପ୍ୟାକିଂ କରି ବଜାରକୁ ଛାଡିଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟଅତିଥି ଏ. ଏ. ଓ ଶ୍ରୀ ପାଢୀ ଫର୍ଟିଫାଏଡ ଧାନରୁ ଉତ୍ପାଦିତ ଭିଟାମିନଯୁକ୍ତ ଚାଉଳ ମଣିଷର ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିଥାଏ । ପୂର୍ବରୁ ହେଉଥିବା ଧାନରେ କେବଳ ଶ୍ୱେତସାର ଥିବା ବେଳେ ଏବେ ବୈଜ୍ଞାନିକମାନଙ୍କ ଉଦ୍ୟମରେ ଧାନରେ ସିଧାସଲଖ ଭିଟାମିନ ମିଶାଇ ଚାଷ କରାଯାଇପାରୁଛି ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ଶ୍ରୀ ପଣ୍ଡା ଧାନଚାଷରେ ରାସାୟନିକ ସାର ବଦଳରେ ଜୈବିକ ଖତର ବହୁଳ ବ୍ୟବହାର କରିବାକୁ ଚାଷିଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ପୁଇଁତଳା ବ୍ଲକ ଲୋୟର ସୁକତେଲ ପ୍ରକଲ୍ପର ଜଳରୁ ଜଳସେଚିତ ହେବାକୁ ଯାଉଛି ଓ ସରକାର ଧାନ କ୍ୱିଣ୍ଟାଲ ୩୧୦୦ କରିବାକୁ ଯାଉଛନ୍ତି । ତେଣୁ ପୁଇଁତଳା ବ୍ଲକ ଅଞ୍ଚଳର ଚାଷୀ ଉନ୍ନତ କିସମର ଭିଟାମିନଯୁକ୍ତ ଧାନବିହନ ନେଇ ଚାଷକରି ଉପକୃତ ହେବାକୁ କହିଥିଲେ । ଅନ୍ୟତମ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ କ୍ଷେତି ଚାଷୀଙ୍କୁ ସଜନାଚାଷ ବିଷୟରେ ତାଲିମ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଫ୍.ପି.ଓ. ନିର୍ଦ୍ଦେଶକ ସୁରେନ୍ଦ୍ର ମହାକୁର, ବନମାଳୀ ଖମାରୀ, ତ୍ରୀନାଥ ମହାକୁର, ପ୍ରହଲ୍ଲାଦ ଡାଙ୍ଗ, ବିଟିଏମ୍ ପ୍ରଦୀପ କୁମାର , ସତ୍ୟାନନ୍ଦ ମହାକୁର, ଲକ୍ଷ୍ମଣ ଡାଙ୍ଗଙ୍କ ସହ ଶତାଧିକ ଚାଷି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here