ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା : ପୁରୀ

0
74

ପୁରୀ,୦୭/୦୭ (ଜେଏନ୍ଏସ୍),ଆଜି ସବୁରି ପ୍ରାଣରେ ଜଗନ୍ନାଥ ପ୍ରେମର ଉଚ୍ଛ୍ଵାସ । ଆଜି ସବୁରି ମନରେ କାଳିଆ ଠାକୁରଙ୍କ ଛବି । ଆଜି ସବୁରି ଆତ୍ମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁଭବ । କାରଣ ଆଜି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଭକ୍ତ ଗହଣକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ବିଗ୍ରହ । ବଡ଼ଦାଣ୍ଡରେ ବହୁଥିବା ଭକ୍ତିସ୍ରୋତରେ ଭାସିଯିବ ମହାପ୍ରଭୁଙ୍କ କରୁଣାର ରଥ । ରଥରେ ବସି ଭକ୍ତ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ବଡ଼ ଠାକୁର । ବିଶ୍ୱ ଦେବତାଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିତରେ ଆବେଗ, ଆଗ୍ରହ ଓ ଅଜସ୍ର ଉନ୍ମଦନା । ବଡ଼ଦାଣ୍ଡ ଆଜି  ଲୋକାରଣ୍ୟ । ଜୟଜଗନ୍ନାଥ ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ରର ଗଗନ ପବନ । କାଳିଆ ଠାକୁରଙ୍କ ଆଗମନୀଙ୍କୁ ଚାହିଁଛି ଭକ୍ତର ନୟନ । କାହିଁକି ବା ନୁହେଁ, କାରଣ ଆଜିର ରଥଯାତ୍ରା ଯେତିକି ବିରଳ, ସେତିକି ସ୍ଵତନ୍ତ୍ର । କାରଣ ଆଜି ଗୋଟିଏ ଦିନରେ ମହାପ୍ରଭୁଙ୍କ ନବଯୌବନ ବେଶ, ନେତ୍ରୋତ୍ସବ ଆଉ ଶ୍ରୀଗୁଣ୍ଡିଚା ଯାତ୍ରା । ଦୀର୍ଘ ୫୩ ବର୍ଷ ପରେ ସଂଘଟିତ ହେଉଛି ଏହି ବିରଳ ସଂଯୋଗ । ଖାସ୍ ସେଇଥିପାଇଁ ଆଜିର ରଥଯାତ୍ରା ଅନେକ ଦୃଷ୍ଟିରୁ ଅନନ୍ୟ । ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ଓ ନୀତି, ରଥ ଉପରେ ମଧ୍ୟ ନୀତିକାନ୍ତି । ଭୋର ୨ଟାରୁ ଆରମ୍ଭ ହୋଇଯାଇଛି ଶ୍ରୀବିଗ୍ରହଙ୍କ ନୀତିକାନ୍ତି । ପୂର୍ବ ନିର୍ଘଣ୍ଟ ଅନୁଯାୟୀ, ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ନୀତି । ରଥ ପ୍ରତିଷ୍ଠା, ପହଣ୍ଡି, ଛେରା ପହଁରା ପରେ ହେବ ରଥଟଣା । ରଥଯାତ୍ରାର ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ହେବା ଏକାକାର । କେମିତି ଦିଶୁଛି ଶ୍ରୀକ୍ଷେତ୍ର, ବଡ଼ଦାଣ୍ଡ କେମିତି ହୋଇଛି ଭକ୍ତମୟ, ଭକ୍ତିମୟ । ଶ୍ରୀକ୍ଷେତ୍ରରେ କେମିତି ଚାଲିଛି ନୀତିକାନ୍ତି ଆଉ ପହଣ୍ଡି ପାଇଁ ପ୍ରସ୍ତୁତି । ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ କେମିତି ଡାକୁଛି ପ୍ରାଣପ୍ରିୟ ଠାକୁରଙ୍କୁ ।

LEAVE A REPLY

Please enter your comment!
Please enter your name here