ଖପ୍ରାଖୋଲରେ “ଗନ୍ଧମାର୍ଦ୍ଦନ ଆମ ସ୍ୱାଭିମାନ ଓ ଅସ୍ମିତା ର ପ୍ରତୀକ” ଶୀର୍ଷକର ଆଲୋଚନାଚକ୍ର

0
78

ବଲାଙ୍ଗିର,୦୯/୧୨,(ଜେଏନ୍ଏସ୍), ଖପ୍ରାଖୋଲ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ “ଗନ୍ଧମାର୍ଦ୍ଦନ ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ” ଶୀର୍ଷକ ଆଲୋଚନାଚକ୍ର ରବିବାର ତ୍ରିଲୋଚନ ପୁଞ୍ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୁପେ ବିଶିଷ୍ଟ ପରିବେଶ ବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ବିଶିଷ୍ଟ ଚାଷୀ ନେତା ଲିଙ୍ଗରାଜ ପଧାନ, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବଳଭଦ୍ର ଦାସ, ବରିଷ୍ଠ ଆଇନ ଜିବୀ ବିଷ୍ଣୁ ପ୍ରାସାଦ ଶର୍ମା, ନାରୀ ନେତ୍ରୀ ଶସିରେଖା ଧରୁଆ, ଗନ୍ଧମାର୍ଦ୍ଦନ ଯୁବପରିଷଦ ଆବାହକ ଜୟସିଂ ପୂଝାରୀ, ସାହାରା ପାୱାର ପ୍ଲାଣ୍ଟ ବିସ୍ଥାପନ ବିରୋଧି ନେତା ବାଲକୃଷ୍ଣ ଷାଣ୍ଢ, ସମାଜସେବୀ ଖୁଟୁରାମ ଶୁନାନି, ରୁଦ୍ରମାଧବ ଜାନି, ସାମ୍ବାଦିକ ବିରେନ୍ଦ୍ର ଝଙ୍କାର ପ୍ରମୁଖ ଯୋଗଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଗନ୍ଧମାର୍ଦନ ଓଡିଶାର ସ୍ୱାଭିମାନ ଓ ଅସ୍ମିତାର ପରିଚୟ । ଲୋକଙ୍କ ଧର୍ମୀୟ ଭାବନା ସହିତ ଜଡିତ ତଥା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜିବିକା ହୋଇଥିବାରୁ ଏହାର ସୁରକ୍ଷା ପାଇଁ ଓଡିଶା ସରକାର ବିଧାନସଭାରେ ସଂକଳ୍ପ ପାରିତ କରନ୍ତୁ ବୋଲି ପରିବେଶବିଦ ପ୍ରଫୁଲ୍ଲ ସାମନ୍ତରା ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଦନର ଚିରସ୍ରୋତା ଝରଣା, ଜୈବ ବିବିଧତା, ଲଘୁ ବନଜାତ ଦ୍ରବ୍ୟ, ଔଷଧିୟ ବନଲତାର ଗନ୍ତାଘର ହୋଇଥିବା ବେଳେ ଦୀର୍ଘ ନବେ କିଲୋମିଟର ପରିବ୍ୟାପ୍ତ ଯାହା ଉଭୟ ବଲାଙ୍ଗିର ଓ ବରଗଡ଼ ଜିଳ୍ଲାର ଶତାଧିକ ଗାଁ’ର କୃଷି ଓ ଅର୍ଥନୀତିର ମାଧ୍ୟମ ସହିତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଦ୍ଵାରା ଜୀବନଜୀବିକା ମାଧ୍ୟମ ସୁନିଶ୍ଚିତ ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼, ପୁରାଣ, ଇତିହାସ ଓ କିମ୍ବଦନ୍ତୀର ବାର୍ତ୍ତା ବହନ କରୁଥିବା ବେଳେ ଉଭୟ ପାର୍ଶ୍ଵରେ ହରିଶଙ୍କର ଓ ନୃସିହନାଥ ମନ୍ଦିର ହଜାର ହଜାର ଜନସାଧାରଣଙ୍କ ଧର୍ମୀୟ ଭାବନାର ଅସ୍ଥାସ୍ଥଳୀ ସହିତ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ପର୍ଯ୍ୟଟନ ପାଇଁ ଆକୃଷ୍ଟ କରୁଛି । ବିଗତ ଅଶୀ ଦଶକରେ ତତ୍କାଳୀନ ରାଜ୍ୟ ସରକାର ପାହାଡ଼କୁ ବାଳକୋ କମ୍ପାନୀକୁ ବକ୍ସାଇଟ ଖନନ ପାଇଁ ଦେଇଥିବା ବେଳେ କମ୍ପାନୀ ପଚାଶ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଫେରି ଯାଇଥିଲା । ଯାହାଥିଲା ପରିବେଶ ଓ ଜଙ୍ଗଲ ସୁରକ୍ଷାର ସଫଳ ଅଧ୍ୟାୟ ଏହା ପରେ ଅନେକ ଥର ପାହାଡକୁ କମ୍ପାନୀ ହାତକୁ ଟେକି ଦେବାପାଇଁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ କିଛି ଦିନ ତଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳର ଭରୁଆମୁଣ୍ଡା ଗାଁ’ରେ ଆଦାନୀ କମ୍ପାନୀ ବନିକରଣ ପାଇଁ ଜମି କିଣା ଘଟଣା ଜଣା ପଡ଼ିବା ପରେ ଅଞ୍ଚଳରେ ଗନ୍ଧମାର୍ଦ୍ଦନ ପ୍ରତି ବିପଦ ଥିବା ଆଶଙ୍କାକରି ବିଭିନ୍ନ ସଙ୍ଗଠନ ପ୍ରତିକ୍ରିୟା ରଖିଥିବା ବେଳେ ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବପରିଷଦ ତରଫରୁ ୧୪ ଦିନ ହେଲା ତହସିଲ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଲୋଚନା ଚକ୍ର ଗୁରୁତ୍ୱ ବହନ କରିଥିବା ବେଳେ ଆଲୋଚନ ଚକ୍ରରେ ଭାଗନେଇ ଅତିଥିମାନେ ଜାତି ଧର୍ମ ବର୍ଣ୍ଣ ଓ ରାଜନେିତିକ ଊର୍ଦ୍ଧ୍ଵରେ ରହି ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିବା ବେଳେ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ବିଧାନ ସଭାରେ ଏକ ସଂକଳ୍ପ ପତ୍ର ପାରିତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଲୋଚନଚକ୍ରରେ ଶତାଧିକ ପରିବେଶପ୍ରେମୀ ଯୋଗଦେଇଥିଲେ । ଗୋଲାପ ନିଆଲ ଧନ୍ୟବାଦ୍ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏ ନେଇ ବିଧାନ ସଭାରେ ଶୂନ୍ୟ କାଳରେ ଆଲୋଚନା ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗନ୍ଧମାର୍ଦ୍ଦନରେ ଖଣି ଖୋଳାର କୌଣସି ପ୍ରସ୍ତାବ ନ ଥିବା ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here